ବିଦାୟ ଲଗ୍ନରେ ମା'
ବିଦାୟ ଲଗ୍ନରେ ମା'
ବାତାୟନ ପଥେ ନିଷ୍ପ୍ରଭ ପ୍ରଦୀପେ
କାହା କାନ୍ଦ ଶୁଭେ କାନେ
ଶୁଭ ଦଶହରା ରଙ୍ଗହରା ହୁଏ
ଆଜି ଏ ବିଦାୟ ଲଗ୍ନେ ।।
ଶରତ ଆକାଶେ ଚାନ୍ଦିନୀ ଝରୁଛି
ଟୋପା ଟୋପା ଲୁହ ବିନ୍ଦୁ
ସବୁଜ କେଦାର କୋହରେ ଅଧୀର
ମଉଳି ଯାଇଛି ଇନ୍ଦୁ ।।
କାଶତଣ୍ଡୀ ଗାଏ ବିଦାୟ ସଂଗୀତ
ଝରା ଶେଫାଳୀର ଲୁହ
ଜହ୍ନି ଫୁଲ ହସ ଚମକ ବିହୀନ
ବିଭାବରୀ ହୃଦେ କୋହ ।।
ମା'ର ଆଶିଷ ଲଭିଥିଲା ଧରା
ମନ ଖେଳୁଥିଲା ଦୋଳି
ଗଛ ଲତା ବଣ ବିଲ ନଈ ପଠା
ଗାଉଥିଲେ ଗୀତ ମିଳି ।।
ମନ୍ତ୍ର ପାଠ ଯେତେ ତା' ଦିବ୍ୟ ମହକ
ବାସହୀନ ଲାଗେ ଧୀରେ
ପୂଜାବେଦୀ ସବୁ ମଉଳି ଗଲାଣି
ଭକ୍ତଙ୍କ ନୟନ ନୀରେ ।।
ଫିକା ଫିକା ଲାଗେ ରୂପେଲୀ ରଜନୀ
ବିଷାଦରେ ଯାଏ ପୂରି
ମାତା ଦଶଭୂଜା ମରତ ମଣ୍ଡଳୁ
ଚାଲିଯିବେ ଅପସରି ।।
ସାଇତି ରଖିଛି ଅଶ୍ରୁର ଶ୍ରାବଣୀ
ତା' ପାଦକୁ ଧୋଇ ଦେବି
ଭକ୍ତି ପୂଜା ଫୁଲେ ତାଆ ହୃଦୟ ରେ
ଜାଗାଟିଏ କିଣିଦେବି ।।
ମୋ ହୃଦୟ ତନ୍ତ୍ରୀ ବିଳପି ଉଠୁଛି
ତା' ଶୁଭ ବିଦାୟ ବେଳେ
ବୁକୁଫଟା କୋହ ଅଶ୍ରୁର ନିର୍ଝରୀ
ଝରୁଅଛି ମନ ତଳେ ।।
ତା' ଦିବ୍ୟ ଆଶିଷ ଛାଇ ହୋଇ ରହୁ
ମୋ ଜୀବନେ ନିରନ୍ତର
ଅସତ୍ୟ ଉପରେ ସତ୍ୟର ବିଜୟ
ମହମହ ବାସୁ ପୁର ।।
ବାଣ ରୋଷଣୀରେ ଫାଟି ପଡିଲାଣି
ଯାଅ ମାତ ମହାମାୟା
ମୋ ବିଦାୟ ବେଳେ ଜୁଇ ଜଳୁଥିବ
ଦେଖୁଥିବି ତା'ର କାୟା ।।
ଶରତ କୁମାର ଦାସ, ବଡବିଲ ମହାବିଦ୍ୟାଳୟ ,ବଡବିଲ