ବିଚିତ୍ର ବର୍ଣ୍ଣ ବୈଭବ
ବିଚିତ୍ର ବର୍ଣ୍ଣ ବୈଭବ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ବସନ୍ତରେ ଯେବେ ମଳୟ ପବନ
ଚୁମି ଚୁମି ଛୁଇଁଯାଏ,
ବାସନ୍ତୀ ବୁକୁରେ ଫଗୁଣ ପାଖୁଡ଼ା
ମହକେ ମହକିଯାଏ ।
ଭଅଁର ପରଶେ ପରାଗ ରେଣୁର
ଫଲ୍ଗୁରେ ଅଂକୁର ଭ୍ରୁଣ,
ଧରିତ୍ରୀ ରାଣୀର କୋମଳ କୋଳକୁ
ବିଧାତାଙ୍କ ବରଦାନ ।
ସାଗର ବୁକୁରେ ଅରୁଣିମା ହସେ
ପୂର୍ବରାଗ ପଣତରେ,
ତା' ହସରେ କେତେ ନବ ଆଶାଲୋକ
ଆଣିଥାଏ ପ୍ରତ୍ୟୁଷରେ ।
ପଶ୍ଚିମା ରାଣୀର ସୀମନ୍ତ ସିନ୍ଦୂର
ସନ୍ଧ୍ୟା-ସୁନ୍ଦରୀ ମଥାରେ,
ଭରି ଦେଇଥାଏ ଜୀବନଚର୍ଯ୍ୟାକୁ
ପୃଷ୍ଠା ପୃଷ୍ଠା ଆକାଂକ୍ଷାରେ ।
ପୃଥ୍ବୀ-ପଣତରେ ସୂର୍ଯ୍ୟଦେବଙ୍କର
ମହାକର୍ଷଣର ଫଳ,
ପ୍ରକୃତି କୋଳରେ ଖଞ୍ଜା ହୋଇଅଛି
ବିଧିର ବିଚିତ୍ର ଖେଳ ।
ହେ ସୃଷ୍ଟି ! ବିଚିତ୍ର ଧନ୍ୟ ତୋ' ଚରିତ୍ର
ଅଙ୍ଗେ ଅଙ୍ଗେ ଅଭିନବ,
ସ୍ପର୍ଶରେ ସ୍ପର୍ଶରେ ତରଙ୍ଗ ସଂଚାରେ
ମୃଦୁ ମୃଦୁ ଅନୁଭବ ।
ନବଜାତ ଶିଶୁ ଜନନୀ କୋଳରେ
ମମତାର ପରଶରେ,
ବିଚିତ୍ର ସୃଷ୍ଟିକୁ ଅତିକ୍ରମ ପାଇଁ
ସଂଘର୍ଷ ଆରମ୍ଭ କରେ ।
ହେ ସ୍ରଷ୍ଟା ! ସର୍ବତ୍ର ତୁମରି କର୍ତ୍ତୃତ୍ୱ
ତୁମ ସ୍ପର୍ଶ ଅନୁଭବ,
ଆଙ୍କି ଦେଇଥାଏ ଜୀବନେ ଜୀବନେ
ବିଚିତ୍ର ବର୍ଣ୍ଣ ବୈଭବ ।