ବିବର୍ଣ୍ଣ ବସନ୍ତ
ବିବର୍ଣ୍ଣ ବସନ୍ତ
ଆଙ୍କିଦେଲ ବୋଲି ହୃଦୟରେ ମୋର
ଅଭୁଲା ପ୍ରୀତିର ଚିହ୍ନ
ସେ ଚିହ୍ନରୁ ଆଜି ରକତ ଝରୁଛି
ଜଳାଉଛି ମେର ମନ I
ତୁମ ବାକ୍ୟବାଣେ ଆଖି ଓଦାହୁଏ
ଲୁହ ପିଇଯାଏ ଓଠ
ମନତଳେ ନାଚେ ତୁମରି ରୂପର
ଅନ୍ତରଙ୍ଗ ଚିତ୍ରପଟ I
ଦେବ ଦେବ କହି ନେଇଗଲ ସୁଖ
ହୃଦୟ ଦରଜା ଖୋଲି
ତଥାପି ଖୋଜୁଛି ତୁମ ହୃଦୟରେ
ପ୍ରେମର ନିଃଷିଦ୍ଧ ଗଳି ।
ତୁମ ପ୍ରେମ ସିନା ସବୁଠୁ ସୁନ୍ଦର
ସବୁଠୁ ନିଆରା ତୁମେ
କାହୁଁ ବା ବୁଝିବ ମୋ ହୃଦୟ ବ୍ୟଥା
ଲୁହ ହୋଇ ଆଖି ଚୁମେ I
ହୃଦୟରେ ମୋର ରଖିଛ ବୋଲି ତ
ତୁମ ସୁକୁମାର ପାଦ
ସେ ପାଦ ଆଘାତେ ବିଦୀର୍ଣ୍ଣ ହୁଏ ମୁଁ
ଘାରେ ମୋତେ ଅବସାଦ I
ଚାଲି ଚାଲି ସଖୀ ଥକି ଗଲିଣି ମୁଁ
ଅବସ ହେଲାଣି ଦେହ
ଦିଅ ନାହିଁ ଆଉ ପ୍ରେମରେ କଷଣ
ଜଗାଅ ଜୀବନେ ମୋହ I
