ଭୁଲି ହୁଏନି ସେ ରଙ୍ଗ
ଭୁଲି ହୁଏନି ସେ ରଙ୍ଗ
ସ୍ମୃତି ଯେବେ ଜାଗେ ଭାରି ଭଲ ଲାଗେ
ମନେପଡି ପିଲାବେଳ
ଥିଲା ସେ ବୟସ କେତେ ଯେ ଅୟସ
ସାଙ୍ଗସାଥି ମେଳେ ଖେଳ ।
ପାଆନ୍ତି କି ଫେରି ବନ୍ଧୁଗଣେ ଘେରି
ଖେଳିଥାନ୍ତି ଦିବାରାତ୍ର
ଆୟୁ ଗଲେ ବଢି ଭାବନାରେ ଜଡି
ଝୁରି ହେବା ସାର ମାତ୍ର ।
ଖେଳକୁଦ ଛଳେ ଝରଣାର ଜଳେ
ପରସ୍ପରେ ନେଉ ଟାଣି
ଖରାବେଳ ତାତି ଭୁଲିଯାଉ ମାତି
ଫିଙ୍ଗାଫିଙ୍ଗି ହେଉ ପାଣି ।
କେବେ ମାଛ ଧରି ସୁନାପିଲା ପରି
ବୋଉକୁ ଧରାଇ ଘରେ
ଆସି ପଶୁପଶୁ ପାଠ ପଢି ବସୁ
ବାପାଙ୍କର ମାଡ ଡରେ ।
ତୋଟାମାଳେ ବୁଲି ଆମ୍ବ କି ପିଜୁଳି
ଜାମୁ କେନ୍ଦୁ ବରକୋଳି
ସାହସରେ ବଢି ଗଛେ ଯାଉ ଚଢି
ଶରଧାରେ ଆଣୁ ତୋଳି ।
ବାଛୁରୀଙ୍କ ସଙ୍ଗେ ଖେଳୁ ଖେଳୁ ରଙ୍ଗେ
ସଞ୍ଜ କେବେ ନଇଁ ଆସେ
ଖେଳକୁଦ ପରେ ଫେରିଯାଇ ଖରେ
ଗପ ଶୁଣୁ ଜେଜେ ପାଶେ ।
ଭେଦଭାବ ନାହିଁ ବୁଲି ସାହି ସାହି
କଉତୁକେ କରୁ ସଙ୍ଗ
ସାଥୀ ଜଣେ ଜଣେ ରହିଥାନ୍ତି ମନେ
ଭୁଲି ହୁଏନି ସେ ରଙ୍ଗ ।
