STORYMIRROR

Biswanath Nayak

Others

4  

Biswanath Nayak

Others

ଭରସା

ଭରସା

1 min
316


ଭସା ବାଦଲକୁ ଗୋପନରେ ଡାକି,

ବରଷା କହେ ତା କାନେ। 

ଦେଉଛି ଭରସା ମେଣ୍ଟାଇବି ତୃଷା,

ଆସି ଆଉ ଅଳ୍ପ ଦିନେ।  

ବଇଶାଖି ଝାଞ୍ଜି ପବନକୁ ଡାକି,

ଆଷାଢ କହେ ତା କାନେ। 

କ୍ଷୀଣ ନଈ ତୀରେ ମୋ ବାଟ ଚାହିଁଥା,

ଆସିବି ମୁଁ ଅଳ୍ପ ଦିନେ। 

ଅମଡାବାଟର ପଥିକକୁ ଡାକି,

କଣ୍ଟକ କହେ ତା କାନେ। 

କଥା ମୁଁ ଦେଉଛି ତୋ ଚଲା ପଥରୁ,

ହଟିଯିବି ଅଳ୍ପଦିନେ। 

ନବ ବଧୂ ପାଶେ ପରବାସୀ ପତି,

ପତର ଦିଏ ଗୋପନେ। 

ତୋ ଶୁଖିଲା ଓଠେ ଫୁଟିବ ଗୋଲାପ,

ଆସିବି ମୁଁ ଅଳ୍ପ ଦିନେ। 

ଝଡା ପତରର ବିଦାୟ ଲଗନେ,

ବସନ୍ତ କହେ ତା କାନେ। 

ସବୁଜ ପତରେ ହସିବ ଏ ବନ,

ଆସିବି ମୁଁ ଅଳ୍ପ ଦିନେ। 

ପାଚିଲା ଫସଲ କହେ, ଚଷାଭାଇ!

ଶୋଚନା ନକର ମନେ। 

ଅଳପ ଦିନେ ତୋ ଅମାର ଭରିବି,

ଖଳା ତୁ ସଜା ଯତନେ। 

ଫିକା ଫିକା ହସି ଗୋଧୂଳି କିରଣ,

କହଇ ଧରଣୀ କାନେ। 

ନେଉଛି ମେଲାଣି ସକାଳୁ ଆସିବି,

ହସି ସୁନେଲି ଲପନେ। 

ଭଙ୍ଗା ନୀଡେ ଝୁଲେ ବାଇଆ ଚଢେଇ,

ବତାସ କହେ ତା କାନେ। 

କୁଟାକାଠି ଆଣି ନୀଡ ତୁ ସଜାଡ,

ମାଆ ହେବୁ ଅଳ୍ପ ଦିନେ। 

ଝରାବଉଳ କୁ ଅଦିନ କୁହୁଡି,

ବାର ବାର କହେ କାନେ। 

ତୁ ସିନା ଝଡିଲୁ ରହିଗଲା ଯିଏ,

ଫଳ ହେବ ଅଳ୍ପ ଦିନେ। 

ନୀଳ ଉର୍ମିମାଳା ଭସା ବୋଇତକୁ,

କହୁଥାଏ କାନେ କାନେ। 

ନକରି ଭାବନା ଯାଆ ଦୂରଦେଶେ,

ଫେରିବୁ ତୁ ଅଳ୍ପଦିନେ। 

ଦୁଃଖେ ଶୋକାତୁର ମଣିଷ କାନରେ,

ବିବେକ କହେ ଗୋପନେ। 

ନକର ଶୋଚନା ଦୁଃଖର ବାଦଲ,

ହଟିଯିବ ଅଳ୍ପଦିନେ। 

ହଟିଯିବ ଅଳ୍ପଦିନେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍