STORYMIRROR

Kailash Chandra Sahani

Others

3  

Kailash Chandra Sahani

Others

ଭୋକ

ଭୋକ

1 min
362


ଭୋକ କେବେ ପେଟର ତ

କେବେ ଦେହର

ଭୋକ କେବେ ମନର ତ

କେବେ ଧନର ।

ଭୋକ ସୀମାହୀନ ସମୁଦ୍ର ପରି

ଗ୍ରାସୁଥାଏ କୂଳ ।


ଭୋକିଲା ଓଠରେ ଜୀବନ କେବେ

ପାଲଟୁଥାଏ ନଗଡାର ମାନଚିତ୍ର

କେବେ ଭୋକର ଭଉଁରୀ ଭିତରେ

କିଏ ଭିଟାମାଟି ଛାଡେ

ଦାଦନ ଖଟେ

କେବେ ହରାଇବସେ ପାପୁଲି କି ପାଦ ।

ଭୋକ କେବେ ପେଟର ଜ୍ବାଳାକୁ ବିବଶ କରେ

କେବେ ନାଲିବତୀର ଲାଜକୁ ସାଉଁଟେ !

ପେଟର ଭୋକ ପାଇଁ

ବନ୍ଧାପଡେ ଶୈଶବ କେଉଁ ହୋଟେଲର

ଅଇଁଠା ବାସନ ଗଦାରେ

ଅବା କେଉଁ ମାଲିକାଣୀଙ୍କ ତତଲା ଚିଆଁରେ

ଭୋକ ସତେଜ ଦିଶେ ।


ଭୋକ କେତେ ଅସହ୍ୟ ସତେ !

ଦେହର ଭୋକ ପାଇଁ ବଳି ପଡେ କେତେ

ଅସହାୟ ଅବଳା ଦୃବଳା ,

କେତେ କୋମଳ ନିଷ୍ପାପ କଳିକା ବୃନ୍ତଚ୍ୟୁତ ହୁଏ

ରଙ୍ଗମହଲ ରେ ଛିଣ୍ଡିଯାଏ ପାଦର ଘୁଙ୍ଗୁର

ଘଞ୍ଚ ଅରଣ୍ୟ ରେ ମୃଗୁଣୀର ଶୀକାର କରେ

ଜାନ୍ତବ କ୍ଷୁଧାରେ ଜର୍ଜରିତ ହିଂସ୍ର ଶାର୍ଦ୍ଦୁଳ !


ବାଃ ରେ ଭୋକ !

କେଉଁଠି ତୋ ପାଦଚିହ୍ନ ନ ପଡିଚି କହ ?

ଧନର ଭୋକ ପାଇଁତ ତୁ ମଦ ସମ୍ରାଟ ଠୁ

ନୀରବ ମୋଦୀ ଯାଏ ବ୍ୟାପ୍ତ ...

ଚିଟ୍ ଫଣ୍ଡ କେଲେଙ୍କାରୀ ଠୁ

ଖଣି ଲୁଟ ଯାଏ ।

ତୋ ଭୋକର ଲମ୍ବା ଇସ୍ତାହାର

ଗାଁ ରୁ ସହର ଯାଏ ।

କିଏ କେଉଁ ଭୋକର ପରିତୃପ୍ତି ପାଇଁ

ଦ୍ରବ୍ୟ କୁ ଭେଜାଲ କରେ

ଜୀବନ କୁ ନେଇ ଖେଳ ଖେଳେ

ମହାନଗରୀର ମହାନ ଚିକିତ୍ସାଳୟ ।


ଭୋକ ଭୁଲି ଯାଇନି ରାଜନୀତିର ମିଛ ବିପଣୀକୁ

ପଣ ପଣ ଯୋଜନାରେ ବି

ଭୋକ ସରେ ନାହିଁ ,

ଗାଦୀ ମାଡିବସିବାର ଭୋକ ମରେ ନାହିଁ

ରଙ୍ଗ ମଖା ଅଭିନେତା ପରି ନେତାଙ୍କ

ନୂଆ ନୂଆ ଅଭିନୟ .....

ଭୋକିଲା ମଣିଷ ମୁହଁ ରେ ଥୋପ ହଲା ଯାଏ

ଭୋଟର ଭୋକରେ ଆତୁର ମଣିଷ

ସ୍ବର୍ଗକୁ ନିଶୁଣୀ ବାନ୍ଧେ

ଚଉଦଗଣ୍ଡା ଯୁଗ ଭୋଗ କରିବାର ଅଭିଳାଷରେ !


ଭୋକ ଏତେ ଦାଉ ସାଧେ କିଆଁ

କେବେ ପେଟରେ କେବେ ଦେହରେ

କେବେ ମନରେ କେବେ ଧନରେ

ଭୋକ ଯେ ଅଦମ୍ୟ ଅନନ୍ତ

ସବୁରି ଅଜାଣତରେ ଜାଳୁଥାଏ ନିଆଁ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍