ଭୋକ
ଭୋକ
ପେଟ ଭୋକ ମଣିଷକୁ
ଅପରାଧୀ କରିଦିଏ,
ଧନ ଭୋକ ମଣିଷକୁ
ଅମଣିଷ କରିଦିଏ,
ଦେହ ଭୋକ ମଣିଷକୁ
ପିଶାଚ କରିଦିଏ,
ଜ୍ଞାନର ଭୋକ ମଣିଷକୁ
ସ୍ଥିତପ୍ରଜ୍ଞ କରିଦିଏ
ଭୋକ! ଭୋକ!! ଭୋକ!!!
ବଦଳିଯାଏ ଭୋକର ସଂଜ୍ଞା
ପରିସ୍ଥିତିର ଚାପରେ...
ସ୍ଥାନ, କାଳ, ପାତ୍ର ବ୍ୟବସ୍ଥାରେ
କେଉଁଠି ବିକିଦିଏ ମାଆ ତାର
ଏକୋଇର ବାଳା ବିଶିକେଶନକୁ
କେଉଁ ଏକ ଦଲାଲ ହାତରେ,
ନିଜ ମୁହଁ ରେ
ମୁଠାଏ ଦାନା ଦେବାକୁ.....।
ଆଉ କିଏ ନିଜ ଦେହ ବିକି
ଭୋକକୁ ଶାନ୍ତ କରେ,
ଗୋଟିଏ ଦିନର ଆହାରକୁ ଧରି...।
କେଉଁଠି ବନ୍ଧା ପଦେ ସାତ ପୁରୁଷର
ଭିଟାମାଟି ଖଣ୍ଡକ ପାପି ପେଟର
ଅସମ୍ଭାଳ ଭୋକ ପାଇଁ...।
ଗରିବ ମାରି ,ଲୁଟି
ନିଜର ଧନ ଭୋକକୁ ପୁରା କରନ୍ତି
ତଥା କଥିତ ନେତା ସମ୍ଭ୍ରାନ୍ତ ମାନେ..।
ମିଛ ଖବର, ଅତି ରଞ୍ଜିତ ଖବର
ଛାଇ ହୋଇଯାଏ ଚତୁର୍ଥ ସ୍ତମ୍ଭରେ
ଟି ଆର୍ ପି ର ଭୋକରେ...।
ଦରିଦ୍ର ମେଧାବୀ ଛାତ୍ରଟି
ଚାପି ମାରିଦିଏ ତା ଜ୍ଞାନର ଭୋକକୁ
ଦାରିଦ୍ର୍ୟର ଲାଞ୍ଛନାରେ...।
ସତରେ ଭୋକଟା
ମଣିଷର ଆଜନ୍ମ ବନ୍ଧୁ ନା?
ଜନ୍ମରୁ ମୃତ୍ୟୁ ଯାଏ
ପିଛା ଛାଡେନି ଭୋକ,
କୁଆଁ କୁଆଁ ଡାକରେ
ମାଆ କ୍ଷୀର ପାଇଁ,
ମରଣର ଶେଷ ଶଯ୍ୟାରେ
ମୋକ୍ଷ ପାଇବା ପାଇଁ,
ଭୋକ! ଭୋକ!! ଭୋକ.!!!....।
