ଭୋକ
ଭୋକ
ଚାରି ଦିନ ହେଲା କିଛି ଖାଇ ନାହିଁ
ଜଳୁଅଛି ପେଟ ଭୋକେ,
ଘର ଘର ବୁଲି ଭିକ ମୁଁ ମାଗିଲି
ଦେଲେ ନାହିଁ ଭିକ ଲୋକେ l
କାହିଁ କେତେ ଦୂର ବୁଲି ବୁଲି ମୁହିଁ
ହାଲିଆ ପରାଏ ହେଲି,
ଭିକ ମାଗିବାକୁ ଘର ଘର ଗଲି
ଭୋକରେ ନ ପାରି ଚାଲି l
ଟୋପାଏ ପାଣିରେ ଜୀବନ କି ଥିବ
ଏ ହତଭାଗ୍ୟରେ ଯୋଡ଼ି,
ଗରିବ କଷଣ ଦୁଃଖର ଝରଣ
ଭାଗ୍ୟ ଭାଗେ ଅଛି ପଡ଼ି l
ଖୁଦ ମଳୁଖରୁ ପୋଷେ ମିଳି ଥିଲେ
ସନ୍ତୋଷ ହୁଅନ୍ତା ପ୍ରାଣ,
କିଛି ନ ମିଳିଲା ହେଲାଣି ଯେ ବୃଥା
ଭୋକରେ ହୁଏ ମରଣ l
ଏ ଜଞ୍ଜାଳ ଘେରା ଦୁଃଖର ଜୀବନ
କଣ୍ଟା ବାଡ଼େ ପ୍ରାଣ ମରେ,
ଥିଲେ କି ଜୀବନ ସୁଖରେ ଚଳିବ
ହତଭାଗ୍ୟେ ପ୍ରାଣ ଝୁରେ l
ଥିଲେ କି ଜୀବନ କି ସୁଖ ଲଭିବି
ମରଣରୁ ଅତି ଦୁଃଖ,
ମରିଗଲେ ପଛେ କଷ୍ଟ ଲିଭି ଯାଏ
ବଞ୍ଚିକି କି ଲାଭ ସୁଖ l
ସମସ୍ତଙ୍କ ହିତେ ସୂରୁଜ ଦେବତା
ଦିଅନ୍ତି ନବ କିରଣ,
ସକଳ ସଜୀଵ ପାଇଁକି ତୋଳିଛି
ନୀଳ ବର୍ଣ୍ଣର ତୋରଣ l
ଜୀବଙ୍କ ପାଇଁ ଏ ଧରଣୀ ମାତାର
ସବୁଜ ରଙ୍ଗରେ ଭରେ,
ଶସ୍ୟ ଶ୍ୟାମଳାରୁ ଭରି ଅଛି ପୃଥ୍ୱୀ
ଜୀବନ ଜୀବିକା ଦ୍ୱାରେ l
ଦୁଃଖୀ ଲୋକ ଦୁଃଖୀ ସୁଖୀ ଲୋକ ସୁଖୀ
ସାରା ସଂସାରରେ ରୀତି,
ନିଜ ଇଚ୍ଛା ମତେ ବିଧାତାର ଖେଳ
ଦେଇଛି ଭାଗ୍ୟ ନିୟତି l
