ବହ୍ନିକନ୍ୟା (୨୧)
ବହ୍ନିକନ୍ୟା (୨୧)
ବହ୍ନିକନ୍ୟା
....୨୧......
କୃଷ୍ଣ-କୃଷ୍ଣା କଥୋପକଥନ
********************************************
ଆଜି ପ୍ରଥମ ଥର ପାଇଁ "ବହ୍ନିକନ୍ୟା" ଯାଜ୍ଞସେନୀଙ୍କ ସହିତ ଲୀଳାମୟ ଶ୍ରୀକୃଷ୍ଣଙ୍କର ପାଞ୍ଚାଳ ରାଜ ଅବରୋଧର ଭେଟ ହୋଇଛି।ଉଭୟେ ଉଭୟଙ୍କର ରୂପ ଏବଂ ଗୁଣରେ ମୁଗ୍ଧ। ଦ୍ରୌପଦୀଙ୍କୁ ଦେଖିବା ସଙ୍ଗେ ସଙ୍ଗେ ଲୀଳାମୟ ଜାଣିପାରିଛନ୍ତି ଯେ ପାଣ୍ଡବ ପରିବାର ପାଇଁ ଏ ହେଉଛନ୍ତି ବରଦାନ ସଦୃଶ । ପ୍ରଭୁ ତାଙ୍କର ଧର୍ମ ସଂସ୍ଥାପନା ମାର୍ଗର ସହଗାମିନୀ, ପ୍ରଚଣ୍ଡ ନାରୀ ଶକ୍ତିର ପ୍ରତୀକ ସ୍ୱରୁପା, ଅଗ୍ନିସମ୍ଭୂତା କୃଷ୍ଣାଙ୍କୁ ଚିହ୍ନି ପାରିଛନ୍ତି ।
ମଗଧରୁ ଆସିଥିବା ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି,ଦ୍ରୌପଦୀଙ୍କ ପାଇଁ ସ୍ଵୟମ୍ବର ଆୟୋଜନ କରିବା ପାଇଁ ସେ ଉଭୟ, ପିତା ଏବଂ ପୁତ୍ରୀଙ୍କୁ ସମ୍ମତ କରିପାରିଛନ୍ତି।ଏ ସବୁ ମଧ୍ୟରେ ପାଣ୍ଡବ ମାନଙ୍କର ନିରାପତ୍ତାକୁ ଆଖି ଆଗରେ ରଖି ସେମାନଙ୍କ ଜୀବିତ ଥିବା ସମ୍ବାଦ ମଧ୍ୟ ସେ ସମସ୍ତଙ୍କଠାରୁ ଗୋପନୀୟ ରଖିଛନ୍ତି ।
*******************************"****"*******
ମନେହେଲା କୃଷ୍ଣଙ୍କର ,କେହି ଗୋପନରେ
ଶୁଣୁଅଛି ଆଲୋଚନା ଗବାକ୍ଷ ସେପାରେ।
ଜାଣି କୃଷ୍ଣ ମନୋଭାବ ବୋଇଲେ ରାଜନ,
"ଶୁଣୁଛି ଦ୍ରୌପଦୀ ଆମ୍ଭ କଥୋପକଥନ।
ମୋର ଅନୁମତି ନେଇ, ଆମ୍ଭ ଆଲୋଚନା,
ଶୁଣୁଛି କଲ୍ୟାଣୀ,କୃଷ୍ଣ ଅନ୍ୟଥା ଭାବନା।
ନଜଣାଇ ତୁମ୍ଭଙ୍କୁ ଦେଇଛି ଅନୁମତି,
କ୍ଷମା ଆଚରଇ ତୁମ୍ଭଠାରେ ମହାମତି।
ଯେଣୁ ଏହା କଲ୍ୟାଣୀର ଭବିଷ୍ୟତ ପ୍ରଶ୍ନ,
ଏଡାଇ ନ'ପାରିଲି ତା ଅନୁରୋଧ କୃଷ୍ଣ।
ତୁମ୍ଭ ସଙ୍ଗେ ସାକ୍ଷାତର ମନୋବାଞ୍ଛା ଧରି,
ରହିଛି ମୋ କନ୍ୟା ବାଞ୍ଛା ପୂର୍ଣ୍ଣ କର ହରି।"
ଏ ଅନ୍ତେ ପ୍ରକୋଷ୍ଠ ତେଜି ଦ୍ରୁପଦ ରାଜନ,
କରନ୍ତେ ପ୍ରସ୍ଥାନ ଜେମା କଲେ ଆଗମନ।
ବିମୁଗ୍ଧ ହେଲେ କେଶବ ଦେଖି କୃଷ୍ଣା ରୂପ,
ଲାବଣ୍ୟର ଗନ୍ତାଘର ଆହା ଅପରୂପ !
ଚକ୍ଷୁ କର୍ଣ୍ଣର ବିବାଦ କ୍ଷଣେ ମେଣ୍ଟିଗଲା,
କର୍ଣ୍ଣ ଶୁଣିଥିଲା,ଚକ୍ଷୁ ଦେଖି ମୁଗ୍ଧ ହେଲା।
ସ୍ମୀତ ହସି ରାଜକନ୍ୟା କଲେ ପ୍ରଣିପାତ,
ପ୍ରଣିପାତ ଛଳେ ଢାଳି ଭକ୍ତିର ଅମୃତ।
ସହାସ୍ୟେ ତାହା ଗ୍ରହଣ କରି ବାସୁଦେବ,
ବୋଲନ୍ତି ସୌଭାଗ୍ୟଲକ୍ଷ୍ମୀ ରାଜାଜେମା ଭବ।
ଦ୍ରୌପଦୀ ବୋଲନ୍ତି 'ତୁମ୍ଭ ମୋହନ ମୁରଲୀ,
କଥା ଶୁଣିଥିଲି ଯାହା ପାରୁନାହିଁ ଭୁଲି।
କାହିଁକି ଶ୍ରୀରାଧା ପାଶେ ଛାଡି ତା ଆସିଲ?
ବଂଶୀ ଶୁଣିବା ସୌଭାଗ୍ୟ ଆମ୍ଭକୁ ନଦେଲ।"
ରାଜକନ୍ୟାଙ୍କ ସଲ୍ଲଜ ହସ, ଖୋଲା ମନ,
ଦେଖି ବିମୁଗ୍ଧ ହୋଇଲେ ଦେବକୀ ନନ୍ଦନ।
ବୋଇଲେ "ଯାହାର ବଂଶୀ ତାପାଶେ ରହିଲା,
ତୁମ୍ଭପାଇଁ ସ୍ନେହ ଆଣିଛି ମୁଁ ରାଜବାଳା "
ସଲ୍ଲଜ ହସି ଦ୍ରୌପଦୀ ବୋଲନ୍ତି "ମାଧବ !
"ପ୍ରୀତି-ସ୍ମୃତି ବଂଶୀ ଗୋଟି ଆଉ କେ ରଖିବ ?
ସେ ବଂଶୀ ଅମର, ଧନ୍ୟା ରାଧା ବିନୋଦିନୀ,
ପବିତ୍ର ସେ ବୃନ୍ଦାବନ ଶ୍ରୀରାଧାଙ୍କୁ ଘେନି।
ଶାଶ୍ବତ ପ୍ରେମର ଯହିଁ ନିର୍ଝରିଣୀ ଝରେ,
ଦେବ ଅଂଶୁ ଜନ୍ମ ପ୍ରତି ବାଳା ଗୋପପୁରେ।
ଦେବତାଙ୍କ ଅଂଶୁ ଜନ୍ମ ସର୍ବେ ବୃନ୍ଦାବନେ
ତୁମ୍ଭ ମାନବୀୟ ଲୀଳା ଶୁଣିଛି ମୁଁ କର୍ଣ୍ଣେ।
ତୁମ୍ଭ ଦର୍ଶନରେ ପ୍ରଭୁ ହେଲି ମୁଁ ଆଲ୍ଲାଦ,
ବହୁକାଳୁ ଅଭିଳାଷା ଥିଲା ପଦ୍ମପାଦ।"
ଅପରୂପ ସୌନ୍ଦର୍ଯ୍ୟରେ ଭକ୍ତିଭାବ ମିଳି,
ଚନ୍ଦନ ସହ କର୍ପୂର ହେଲା ଅବା ଗୋଳି।
ବୋଳି ହୋଇଗଲା ତାହା ମନ,ଚୈତନ୍ୟରେ,
ଅପୂର୍ବ ଆନ୍ତରିକତା ଶ୍ରୀକୃଷ୍ଣଙ୍କୁ ଘାରେ।
ବୋଲନ୍ତି କୃଷ୍ଣ "ମୁଁ ପ୍ରୀତ ଶୁଣି ତୁମ୍ଭ ଗୀର,
କଥା ନୁହେଁ ସୁଧା ବୃଷ୍ଟି କଲ କର୍ଣ୍ଣେ ମୋର !
ମୋର ଧର୍ମ ସଂସ୍ଥାପନା ମାର୍ଗରେ କଲ୍ୟାଣୀ
ସହାୟ ହେବ ନିଶ୍ଚୟ ପାରିଛି ମୁଁ ଜାଣି।"
କୃଷ୍ଣଙ୍କ "କଲ୍ୟାଣୀ"ଡାକେ ତନୁ ପୁଲକିତ,
ଅନୁ୍ରାଗ ବାରିଧାରା ମନ କଲା ସିକ୍ତ,
ବୋଇଲେ ଦ୍ରୌପଦୀ"ତାହା ସୌଭାଗ୍ୟ ମୋହର,
ପାରିବି ମୁଁ ଯେବେ କିଛି କରି ଚକ୍ରଧର।
ଏ ମୋର ପୂର୍ବ ସୁକୃତ ପ୍ରଭୁକାର୍ଯ୍ୟ ପାଇଁ,
ସମର୍ପିତ ହେବ ଯେବେ ପ୍ରାଣ ଯଦୁସାଇଁ।
ତୁମ୍ଭେ ମୋର ସଖା,ବନ୍ଧୁ,ତୁମ୍ଭେ ମୋ ସୋଦର
ସମ୍ପଦେ,ବିପଦେ ଡାକୁଥିବି ଚକ୍ରଧର।
ପିତାଙ୍କ ସଙ୍ଗେ ତୁମ୍ଭର କଥୋପକଥନ,
ଶୁଣିଛି ମୁଁ ,ତିଳେମାତ୍ର ଦୁଃଖ ନାହିଁ ମନ,
ଜୀବନ ସାଥୀ ନହୋଇ ସଖା ହେଲ ମୋର,
ସମର୍ପିତ ପ୍ରାଣ ତୁମ୍ଭ ପାଦେ ଚକ୍ରଧର।
ମୋଭଳି ସୌଭାଗ୍ୟବତୀ ସଂସାରେ କେ ଅଛି?
ସଖାରୂପେ ସ୍ବୟଂ ନାରାୟଣଙ୍କୁ ପାଇଛି।
ସ୍ବୟମ୍ବର ପାଇଁ ମନେ ନାହିଁ ଆନଭାବ,
ଆପଦେ ବିପଦେ ପ୍ରଭୁ ସାହା ତୁମ୍ଭେ ହେବ।
ଚାହେଁନାହିଁ ଯିବାପାଇଁ ଜରାସନ୍ଧ ଗୃହେ,
ଦୁର୍ଯ୍ୟୋଧନ ରାଣୀ ମଧ୍ୟ ହେବାକୁ ନଚାହେଁ।"
ବୋଇଲେ କେଶବ "ପ୍ରାଣ ଥିବାଯାଏ ମୋର,
ଜରା ନପାରିବ ହରି କରି ବଳାତ୍କାର।
କୁରୁ ରାଜ ପ୍ରାସାଦରେ ରହିଛି କଲ୍ୟାଣୀ,
ତୁମ୍ଭପରି ମୋର ଏକ ସ୍ନେହର ଭଗିନୀ।
ଦୁର୍ଯ୍ୟୋଧନ ରାଣୀ,ନାମ ତାର ଭାନୂମତୀ,
ଅଶ୍ରୁଳ ଆଖିରେ ମୋତେ କରିଛି ମିନତି।
କଥା ମୁଁ ଦେଇଛି ତାଙ୍କୁ ଥିବାଯାଏ ଜୀବ,
ଦୁର୍ଯ୍ୟୋଧନ ସଙ୍ଗେ ତୁମ୍ଭ ବିବାହ ନୋହିବ।
ନିଶ୍ଚିନ୍ତ ରୁହ କଲ୍ୟାଣୀ ମନୁ ତେଜି ଶଙ୍କା,
ସ୍ବୟମ୍ବର ପାଇଁ ମନେ ନରଖ ଆଶଂକା।
କଠିନ ଲକ୍ଷ ପରୀକ୍ଷା ହେବ ତହିଁ ଧାର୍ଯ୍ୟ,
ଯେ ଜିଣିବ,ତୁମ୍ଭ ହସ୍ତ ଧରିବ ସେ ଆର୍ଯ୍ୟ।
ସେ କଠିନ ପରୀକ୍ଷାର ଆୟୋଜନ ପାଇଁ,
ଗୁରୁ ସନ୍ଦିପନୀଙ୍କୁ ମୁଁ କହିବି ବୁଝାଇ।
ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ନପାରିବେ ହୋଇ,
କୁରୁ ଯୁବରାଜ ଅବା ମଗଧ ଗୋସାଇଁ।
ହେଲେ ହୋଇପାରେ ଅବା ମହାରଥୀ କର୍ଣ୍ଣ,
ସୂତପୁତ୍ର ବୋଲି କରିପାର ପ୍ରତ୍ୟାଖ୍ୟାନ।
ତୁମ୍ଭ ବୁଦ୍ଧି,ବିବେକର ପ୍ରୟୋଗ କରିବ,
ଉପଯୁକ୍ତ ପତି ତୁମ୍ଭେ ନିଶ୍ଚୟ ବରିବ।
ମୋ ଦୃଢ ବିଶ୍ବାସ ସେହି ହେବ ଶ୍ରେଷ୍ଠ ବୀର,
ଶ୍ରେଷ୍ଠ ଧର୍ମ ରକ୍ଷାକାରୀ ଏ ଆର୍ଯ୍ୟାବର୍ତ୍ତର।
ମୋ ବିଚାରେ ପାଞ୍ଚାଳର ଯଶ ବୈଜୟନ୍ତି,
ଉଡିବ ଭାରତେ ବୃଦ୍ଧି ହେବ ତୁମ୍ଭ ଶକ୍ତି।
ଦ୍ରୋଣ ହେବେ ଭୟଭୀତ ତାହାର ପ୍ରଭାବେ,
ପାଞ୍ଚାଳର ଯଶବାନା ଉଡିବଟି ନଭେ।"
କୃଷ୍ଣଙ୍କୁ ଚାହିଁ ଦ୍ରୌପଦୀ ମନ୍ତ୍ରମୁଗ୍ଧ ହୋଇ,
ବୋଇଲେ "ମୁଁ ଅସମ୍ମତ ନୁହେଁ ଯଦୁସାଇଁ।
ମୋ ଦୃଢ ବିଶ୍ବାସ ତୁମ୍ଭେ ଯାହା ବା କରିବ,
ତୁମ୍ଭ ସଖୀ ଦ୍ରୌପଦୀର ମାନ ବୃଦ୍ଧି ହେବ।
ଜନ୍ମଭୂମି ପାଞ୍ଚାଳର ହେବ ଯଶ ବୃଦ୍ଧି,
ତୁମ୍ଭ ବିଚାରେ ସମ୍ମତ ମୁଁ କୃପା ବାରିଧି।"
ସ୍ବୟମ୍ବର ପାଇଁ ପିତା ପୁତ୍ରୀଙ୍କ ସମ୍ମତି,
ନେଇ ପାଞ୍ଚାଳ ଛାଡିଲେ ପ୍ରାତେଃ ଯଦୁପତି।
ପାଣ୍ଡବ ପରିବାରର ସୁରକ୍ଷା ନିମିତ୍ତ,
ଗୁପ୍ତ ରଖିଲେ ତାଙ୍କର ଜୀବିତ-ବୃତାନ୍ତ।
ନପାରିଲେ ଜାଣି କୃଷ୍ଣା ଅଥବା ଦ୍ରୁପଦ,
ଅବା ଭ୍ରାତା ବଳରାମ, ପାଣ୍ଡବ-ସମ୍ବାଦ।
କ୍ରମଶଃ.....