ଭଲ ଅମଳ ପାଇଁ
ଭଲ ଅମଳ ପାଇଁ


ତୁମକୁ ହତାଦାର କରି
ଡେଇଁ ପଡ଼େ ସେ
ମଦ ମାଂସର ଭୋଜି ଖାଇବାକୁ ।
ନିଶାରେ ମସଗୁଲ୍ ହୋଇ
ଗିଲାସେ ପରେ ଗିଲାସେ
ନିଜ ରକ୍ତର ଫୁଟନ୍ତା ମଦ ପିଇଚାଲେ
ତାହା ସହ ଚିରି ଖାଇଚାଲିଥାଏ
ଦେହର କଞ୍ଚାମାଂସକୁ ।
ନା , ବହୁତ ହୋଇଗଲା ,
ରାତି ଅନ୍ଧାରଟା ମଉଳିବାକୁ ଲାଗିଲାଣି
ଆଉ ଥରେ ସୂରୁଜ ଉଁଇବା ପୂର୍ବରୁ
ତାକୁ ଖୋଜି ପାଇବାକୁ ହେବ ।
ଗୋଟି ଗୋଟି କରି ତୃଷ୍ଣାର
ମଞ୍ଜିଗୁଡ଼ାକୁ ଚିହ୍ନିବାକୁ ହେବ ,
ଜାଣିବାକୁ ହେବ ତାଙ୍କର ରୂପରଙ୍ଗକୁ
ଆଉ ଗଜା ଧରିବାର ସଠିକ୍ ପାଗକୁ ।
ତା' ହତାଶବୋଧର
ସବୁ ବାଳୁଙ୍ଗା ଗୁଡ଼ାକୁ ବି ବାଛିବାକୁ ହେବ
କାମନା ଧାନର ଭଲ ଅମଳ ପାଇଁ ।
ସେ ବ୍ଯାପିଯିବ ପୃଥିବୀ ସାରା
ସମସ୍ତଙ୍କୁ ଖାଇ ହଜମ କରି
କ'ଣ ହେବ ଶେଷରେ ,
ତୁମେ କେଉଁଠି ଥିବ ସେବେ ?
ଦେହ ଭିତରେ ରକ୍ତ ମାଂସ ହୋଇ
ନା ଶୁଷ୍କ ମରୁଭୂମିରେ ମରୀଚିକା ରୂପେ ?
ତୁମକୁ ହତାଦର କରି...