ଭକ୍ତି ପୁଷ୍ପାଞ୍ଜଳି
ଭକ୍ତି ପୁଷ୍ପାଞ୍ଜଳି
କାଳିଆରେ, ତୋ'ର ବାହୁଡ଼ା ବେଳର
ପୂର୍ଣ୍ଣ ଦରଶନେ
ମୋ' ପ୍ରାଣ ପ୍ରୀତ ।
ରମ୍ୟ ରୂପ କାନ୍ତି ଶୁଭ୍ର ଦିବ୍ୟ ଜ୍ୟୋତି
ଦର୍ଶନେ ନୟନ
ଲୁହରେ ସିକ୍ତ ।।
ଲୁହ,ଲୁହ ନୁହେଁ ଅର୍ଘ୍ୟ,ଆନନ୍ଦାଶ୍ରୁ
ଭକ୍ତି ପୁଷ୍ପାଞ୍ଜଳି
ହୋଇ ବରଷେ ।
ଅଶ୍ରୁ ନୁହେଁ ତାହା ହୃଦୟ ନୈବେଦ୍ୟ
ବଡଦାଣ୍ଡ ଧୁଏ
ପ୍ରାଣ ପୀୟୂଷେ ।।
ତୋ'ବାହୁଡା କାଳେ ବଡଦାଣ୍ଡ ଧୂଳି
ଉଛୁଳି,ଉଛୁଳେ
ଭକ୍ତି ଜୁଆରେ ।
ମୋ'ବାହୁଡା ବେଳେ ମଶାଣି ଉଛୁଳେ
ପାପ, ଅଭିଶାପ
ଛଳ ନିନ୍ଦାରେ ।।
କୁକର୍ମର କୃତ ତାଲିକା ପୃଷ୍ଠାର
ମୋ'ହିସାବଖାତା
ରୁହେ ବଜାରେ ।
ବେହିସାବୀ ଭକ୍ତ ଭକ୍ତି ମାର୍ଗେ ମଜ୍ଜି
ପୁଣ୍ୟ ଅର୍ଜିଥାନ୍ତି
ବଡଦାଣ୍ଡରେ ।।
ବାହୁଡା ପଥରେ ବଡଦାଣ୍ଡ ସାରା
ଭକତ ପ୍ରେମିକ
ଶ୍ରଦ୍ଧା ଅର୍ପଣେ ।
ଦାଣ୍ଡ ଧୋଇଦେଇ ରଥ ଛୁଇଁନେଇ
ମୋକ୍ଷ ମାଗିଥାନ୍ତି
ଆତ୍ମା ତର୍ପଣେ ।।
ମଶାଣି ଭୂଇଁ ମୋ' ଅନାହୂତ ବନ୍ଧୁ
ଅହେତୁକ ସାଥି
ଭିଡରେ କାନ୍ଦେ।
ଉପର ମନ ତ ସୁନ୍ଦର ଚିକ୍କଣ
ଭିତର ମନରୁ
ମୋ'କର୍ମ ନିନ୍ଦେ ।।
ହେ ବିଶ୍ୱ ଈଶ୍ୱର ମୁକ୍ତି ସ୍ୱର୍ଗଦ୍ୱାର
ଉଦ୍ଦିଷ୍ଟ ନୁହେଁ ତା'
ମୋ'ମୁକ୍ତି ପାଇଁ ।
ବାଇଶି ପାହାଚେ ଦିନ ଗଣୁ ଗଣୁ
ବଡଦାଣ୍ଡେ ଥିବି
ମୁକ୍ତିକୁ ଚାହିଁ ।।
ସ୍ୱର୍ଗଦ୍ୱାର ସିଦ୍ଧ ଶେଷକୃତ୍ୟ ପାଇଁ
ଶେଷ କୃତ୍ୟ କାହିଁ
ଏଇ ଜୀବନେ !
ଶେଷକୃତ୍ୟ ସିନା ଶରୀର ପାଇଁକି
ଆତ୍ମା ମୋ'ର ବନ୍ଧା
ତୁମ ଚରଣେ ।।
