ଭିଟାମାଟି
ଭିଟାମାଟି
ଭିଟାମାଟି ମୋର ନୁହଁଇ କେବଳ
ମାଟି ବାଲିର ସମଷ୍ଟି,
ତା ସ୍ଥାନ ମୋ ହୃଦେ ପୂଣ୍ୟ ଦେବାଳୟ
ପ୍ରଣମେ ମୁଁ କୋଟି କୋଟି ।। ୧
ତା ପାଣି ପବନ ଦେଇଛି ଜୀବନ
ବହୁଛି ପ୍ରତି ଶିରାରେ,
ପ୍ରତିବାଦ କେବେ କରି ନାହିଁ ତିଳେ
ତା ସ୍ନେହ ଛୁଆଁ ଦେବାରେ ।। ୨
ସହି ଅଛି ମୋର ଚରଣ ଆଘାତ
ଦୈ।ଡିଛି ଯେବେ ତା କୋଳେ,
ବାରଣ କରିନି ତା ସମ୍ପଦ ଯେବେ
ଲୁଟିଛି ମୁଁ କୁତୂହଳେ ।। ୩
ତା ବିଲ ପ୍ରାନ୍ତର ସବୁଜ କେଦାର
ଅପୂର୍ବ ଶୋଭା ସମ୍ଭାର,
ତାର ନଦ ନଦୀ ଉପବନ ଆଦି
ଦେଇଛି ଖୁସି ଅପାର ।। ୪
ହେଉ ଚାଳ ଘର ତଥାପି ତହିଁର
ମମତାର ନାହିଁ ମୂଲ,
ଚାଳିଆ ଉପରେ ଲାଉ କଖାରୁରେ
ଦିଶୁଥାଏ ଝଲମଲ ।। ୫
ମୋ ଭିଟାମାଟିର ସମ୍ପର୍କ ସବୁର
ତୁଳନା କେ ପାରେ କରି,
ଦାଦା ଖୁଡି ଅଜା ଆଈ ଆଦି ମିଠା
ଡାକେ ପେଟ ଯାଏ ପୂରି ।। ୬
ନିଷ୍କପଟ ତାଙ୍କ ସରଳ ମୁହଁରେ
ଭେଦ ଭାବ ଜମା ନାହିଁ,
ସମ୍ପଦେ ହେଉ ବା ବିପଦରେ ହେଉ
ଏକାଠି ଯାଆନ୍ତି ହୋଇ ।। ୭
ପେଟ ପାଟଣାର ତାଡ଼ନାରେ ସିନା
ତାଠାରୁ ରହିଛି ଦୂରେ,
ହେଲେ ସୁବାସିତ ପାଣି ପବନର
ପରଶକୁ ନିତି ଝୁରେ ।। ୮
ଯେଉଁଠି ଥିଲେ ବି ଭିଟାମାଟି ମୋର
ମୋ ପାଇଁ ଅମୂଲ ମୂଲ,
କୋଟି ଦଣ୍ଡବତ କରେ ଏଠି ତାକୁ
ଜୀବନଠୁ ପାଏ ଭଲ ।। ୯
