ଭିଟାମାଟି
ଭିଟାମାଟି


ପୁରୁଣା ଦିନର ଅଭୁଲା ସ୍ମୃତିକୁ
ନିରବ ହୃଦୟେ ଧରି
ଗାଁ ଭିଟାମାଟି ଭାରି ମନେ ପଡେ
ଝରାଇ ସ୍ମୃତିର ବାରି ।
ଜନମ ମାଟିକୁ କିଏ କେବେ ଭୁଲେ
ଅତି ସୁନ୍ଦର ମୋ ଗାଆଁ
ତା ପାଣି ପବନ ଦେଇଥିଲା ଛୁଇଁ
ସରୋବରେ ମାଛ ଡିଆଁ ।
ଚୋରା ଚଇତାଳି ବହୁଥାଏ ସଦା
କଣ୍ଢେଇର ବାହାଘର
ଫଗୁଣ ପ୍ରେମରେ ସାଙ୍ଗ ସାଥି ମେଳେ
ଅଭିନୟ ବାଲିଘର ।
ଭିଟାମାଟି ବକ୍ଷେ ହରିହାଟ ଘର
ଭାଗବତ ପାଠ ନିତି
ପରସ୍ପର ସହ ଭାଇଚାରା ପ୍ରୀତି
ଅମର ଅକ୍ଷୟ ସ୍ମୃତି ।
ଭିଟାମାଟି ମମତା ମନ ସିନ୍ଦୁକେ
ସୁରଭିତ ହେଉ ଥିବ
ଜନମ ମାଟିର ଅଲିଅଳ ଦିନ
ପ୍ରାଣ ପୃଷ୍ଠାରେ ରହିବ ।
ଭିଟାମାଟି ଛାଡି ଦାଦନ ଶ୍ରମିକ
ରାଜ୍ୟ ବାହାର ଯାଆନ୍ତି
ହାଡଭଙ୍ଗା ପରିଶ୍ରମ କାମ କରି
ନିମ୍ନ ମଜୁରି ପାଆନ୍ତି ।
ତଥାପି ପ୍ରତୀକ୍ଷା ଥାଏ ତ ମନରେ
ଉଚ୍ଚ ଆଶା ଅଭିଳାଷ
ଭିଟାମାଟି ଗୁଣ ଜାଣି ନ ପାରନ୍ତି
ଭୁଲନ୍ତି ଗାଆଁ ପରଶ ।
ଜନମ ମାଟିର ବାଡ଼ି ଘର କ୍ଷେତ
ଟାଙ୍ଗରା ହୋଇଛି ଦେଖ
ଘରପୁଅ ଯାଏ ପଡୋଶୀ ରାଇଜ
ଦେଖାଇବ ସହରୀ ଭେକ ।
ବାପା ମାଆ ଦୁଃଖ କାନ୍ଥ ବାଡ଼ ଶୁଣେ
ଜୀବନେ ମାଧୁର୍ଯ୍ୟ ନାହିଁ
ଭିଟାମାଟି ମହତ୍ତ୍ୱ ଜାଣି ବି ଅଜଣା
ସନ୍ତାନର ଚିନ୍ତା ନାହିଁ ।
ମାଟିର ମଣିଷ ମିଶିବ ମାଟିରେ
ଭିଟାମାଟି ତୁଚ୍ଛ କିଆଁ
ପ୍ରକୃତିକୁ ସାଥି ପ୍ରକୃତି କୋଳେ
ଶସ୍ୟ କ୍ଷେତେ ମନ ମିଆଁ ।
ଶିକ୍ଷିତ ଯୁବ ବା ହେଉ ଅଶିକ୍ଷିତ
ବୁଦ୍ଧି ଜ୍ଞାନ ଆହରଣେ
ହସିବ ଭିଟାମାଟି ଖୁସି ଘରଣୀ
ବାସ୍ତବରେ ଏ ଜୀବନ ।
ଭିଟାମାଟି ଛାଡି ଜ୍ଞାନ ମୂଲ୍ୟହୀନ
କେବଳ ଭୋଗି ହୋଇବ
ଧନର ପ୍ରାଚୁର୍ଯ୍ୟ ସାର ହେବ ସିନା
ଅନ୍ତିମେ ଦୁଃଖ ଭୋଗିବ ।
ପିତୃଋଣ ଦେବ ଋଣ ସାଥେ ଯିବ
ଅପର ଲୋକେ ଯନ୍ତ୍ରଣା
କ୍ଷଣିକ ଜୀବନ କାହିଁକି ଏ ଲୋଭ
ରଖ ମାଟିର ସମ୍ମାନ ।