ଭୀଷ୍ମ ପିତାମହ
ଭୀଷ୍ମ ପିତାମହ
ମହାଭାରତର ଶ୍ରେଷ୍ଠନାୟକ ସେ
ପିତାମହ ଦେବବ୍ରତ ।
ସଭକ୍ତି ଚିତ୍ତରେ ତାଙ୍କ ଶ୍ରୀଚରଣେ
କରେ କୋଟି ପ୍ରଣିପାତ ।।
ହେ ବୀରପୁଙ୍ଗବ ! ପ୍ରବୀଣ ଶାସ୍ତ୍ରଜ୍ଞ
ତତ୍ତ୍ୱଦର୍ଶୀ ନ୍ୟାୟବନ୍ତ ।
ଶୌର୍ଯ୍ୟ-ବୀର୍ଯ୍ୟ-ଧୈର୍ଯ୍ୟ-ଔଦାର୍ଯ୍ୟରେ ବ୍ରତୀ
ସର୍ବଗୁଣେ ବିଭୂଷିତ ।।
ଭରତଙ୍କ ଉତ୍ତରାଧିକାରୀ ସୂତ୍ରେ
'ପ୍ରତୀପ' ନାମେ ରାଜନ ।
ପ୍ରତୀପଙ୍କ ପୁତ୍ର ଅଟନ୍ତି 'ଶାନ୍ତନୁ'
ରାଜା ସୁଖ୍ୟାତି ସମ୍ପନ୍ନ ।।
ପିତ୍ରାଜ୍ଞାପାଳନ କରିଣ ଶାନ୍ତନୁ
ଗଙ୍ଗାଙ୍କୁ ବିବାହ କଲେ ।
ଗଙ୍ଗା ଦେବୀଙ୍କର ବିଚିତ୍ର ସର୍ତ୍ତକୁ
ଅକ୍ଷରାକ୍ଷରେ ମାନିଲେ ।।
ଗୋଟି ଗୋଟି କରି ସାତଟି ପୁତ୍ରଙ୍କୁ
ସ୍ୱଶରୀରେ ଭସାଇଲେ ।
ଅଷ୍ଟମ ପୁତ୍ରକୁ ଭସାଇବାବେଳେ
ଶାନ୍ତନୁ ବାରଣକଲେ ।।
ହେ ରାଜନ!ତୁମେ ସର୍ତ୍ତ କଲ ଭଙ୍ଗ
ତୁମକୁ ମୁଁ ଛାଡିଯିବି ।
ଏ ଜନମେ ଆଉ ଭେଟ ନହୋଇବ
ତୁମ କଥା ଭାବୁଥିବି ।।
ପୁତ୍ର ସହ ଦେବୀ ସ୍ୱଦେହରେ ଲୀନ
ହୋଇଗଲେ ଯେ ସତ୍ୱର ।
ମାତାପୁତ୍ରଙ୍କୁ ଦୁଃଖରେ ଦେଇ ବିଦାୟ
ଶୋକରେ ହେଲେ ଅସ୍ଥିର ।।
ବ୍ରହ୍ମଚର୍ଯ୍ୟ ବ୍ରତ ପାଳିଣ ରାଜନ
ରାଜକାର୍ଯ୍ୟେ ଦେଲେ ଧ୍ୟାନ ।
ପୁତ୍ର ତୁଲ୍ୟ ପାଳି ରାଜ୍ୟର ପ୍ରଜାଙ୍କୁ
କରିଲେ ରାଜ୍ୟ ଶାସନ ।।
ଦୀର୍ଘବର୍ଷ ପରେ ଏକଦା ଶାନ୍ତନୁ
ନଦୀ ତୀରେ ଭ୍ରମୁଥିଲେ ।
ପତ୍ନୀଙ୍କ ସହିତ ନବଯୁବକକୁ
ସେହିଠାରେ ଭେଟିଥିଲେ ।।
ପତିପତ୍ନୀଙ୍କର କଥୋପକଥନେ
ମାତାଙ୍କୁ ପୁତ୍ର କହିଲା ।
ମୋ ଧନୁର୍ବାଣଯେ ଗଙ୍ଗାର ସ୍ରୋତକୁ
କ୍ଷଣକେ ଅଟକାଇଲା ।।
ଏ ସମୟେ ପତ୍ନୀ ପୁତ୍ର ପରିଚୟ
ସ୍ୱାମୀଙ୍କୁ କରାଇଥିଲା ।
ପିତାପୁତ୍ରଙ୍କର ଅପୂର୍ବ ମିଳନ
ସେହି ସ୍ଥାନେ ହୋଇଥିଲା ।।
ପୂଜ୍ୟ ପିତା ପୁତ୍ର ନାମ ବିଷୟରେ
ଜିଜ୍ଞାସା ତ କରିଥିଲେ ।
ମାତାଶ୍ରୀ ମୋହର 'ଦେବବ୍ରତ' ବୋଲି
ନାମଟି ଯେ ଦେଇଥିଲେ ।।
ପିତା ଓ ପୁତ୍ରଙ୍କୁ ଦେଇଣ ବିଦାୟ
କରିଲେ ସ୍ୱୟଂ ପ୍ରସ୍ଥାନ ।
ଉଭୟେ ଦେଲେ ବି ଅଶ୍ରୁଳ ବିଦାୟ
କଲେ ସ୍ୱରାଜ୍ୟ ଗମନ ।।
ହସ୍ତିନାପୁରର ଯୁବରାଜ ପଦେ
ଅଭିଷିକ୍ତ ଦେବବ୍ରତ ।
ପିତାଶ୍ରୀଙ୍କ ଠାରୁ ରାଜନୀତି ଶିଖି
କରିଲେ ପ୍ରଜାଙ୍କ ହିତ ।।
ଏକଦା ଯମୁନା ତଟରେ ଶାନ୍ତନୁ।
ଦେଖିଲେ ତ ରୂପବତୀ ।
ସେ ଥିଲେ କୈବର୍ତ୍ତଙ୍କର କନ୍ୟାରତ୍ନ
ତା' ନାମଟି ସତ୍ୟବତୀ ।।
ତା' ଦେହରୁ ଦିବ୍ୟ ସୁଗନ୍ଧ ମହକ
ମହକୁଥିଲା ସତତ ।
ସେ କନ୍ୟାର ରୂପଲାବଣ୍ୟକୁ ଦେଖି
ରାଜା ହେଲେ ବିମୋହିତ ।।
ସେ ସତ୍ୟବତୀକୁ ବିବାହ ପ୍ରସ୍ତାବ
ଦେଲେ ହସ୍ତିନା ରାଜନ ।
କହିଲା ରୂପସୀ ପିତାଙ୍କୁ ଏକଥା !
କର ତୁମେ ନିବେଦନ।।
କୈବର୍ତ୍ତଙ୍କ ଆଗେ ହସ୍ତିନା ନରେଶ
ଦେଲେ ବିବାହ ପ୍ରସ୍ତାବ ।
ମୋ ସର୍ତ୍ତକୁ ଯେବେ ମାନିବ ରାଜନ
କନ୍ୟା ତୁମ ପତ୍ନୀ ହେବ ।।
ତୁମ ଔରସରୁ ମୋ କନ୍ୟା ଗର୍ଭରୁ
ଯେବେ ହେବ ପୁତ୍ର ଜନ୍ମ ।
ସେ ହେବ ହସ୍ତିନା ଉତ୍ତରାଧିକାରୀ
ଏ ସତ୍ୟଗିର ରାଜନ ।।
ଏହି ସର୍ତ୍ତେ ରାଜା ହୋଇଲେ ମଉନ
ଫେରିଲେ ନିଜ ଭବନ ।
ରାଜକାର୍ଯ୍ୟେ ସଦା ହୋଇଲେ ବିମୁଖ
ଉଦାସ ହେଲେ ରାଜନ ।।
ଏତାଦୃଶ ସ୍ଥିତି ଦେଖି ପିତାଙ୍କର
ପୁତ୍ର ହୋଇଲେ ଦୁଃଖିତ ।
କୈବର୍ତ୍ତ ସମୀପେ କରିଲେ ବିନତି
ବିମାତା ପିତା ନିମିତ୍ତ ।।
ପୁନର୍ବାର ସେହି ପୂର୍ବର ସର୍ତ୍ତକୁ
ଯୁବରାଜେ ସୂଚାଇଲେ ।
ଏ ଦୃଢ ସର୍ତ୍ତକୁ ଦୃଢତାର ସହ
ଦେବବ୍ରତ ମାନିନେଲେ ।।
ତଥାପି କୈବର୍ତ୍ତ କଲେ ଅବିଶ୍ବାସ
ଦେବବ୍ରତଙ୍କ ବଚନେ ।
ଭବିଷ୍ୟତେ ନିଶ୍ଚେ ତୁମର ସନ୍ତାନ
ବସିବ ଯେ ସିଂହାସନେ ।।
ଅବିଶ୍ୱାସ ଆଉ ସନ୍ଦେହ ବଚନ
ହେଲା ତାଙ୍କୁ ଯେ ଅସହ୍ୟ ।
ଦଶ ଦିଗପାଳ ଓ ଧର୍ମକୁ ସାକ୍ଷୀ
କରେ ଶପଥ ନିଶ୍ଚୟ ।।
ଆଜିଠାରୁ ମୁହିଁ ଭୀଷଣପ୍ରତିଜ୍ଞା
କରୁଛି ଦୃଢ ଭାବରେ ।
ପିତୃ ମାନ ଲାଗି ବାହା ମୁଁ ନ ହେବି
କଥା ଦେଲି ନିଶ୍ଚିତରେ ।।
ଭୀଷଣ ପ୍ରତିଜ୍ଞା କରିଥିବା ଯୋଗୁଁ
ନାମ ହେଲା ତାଙ୍କ ଭୀଷ୍ମ ।
ଆଜୀବନ ବ୍ରହ୍ମଚାରୀ ହୋଇଗଲେ
ରଖିଲେ କୁଳ ସୁନାମ ।।
ସୋମବଂଶେ ଜନ୍ମ ହେଲେ ସୁକ୍ଷତ୍ରିୟ
'ଗୋତ୍ର'ଯେ ବୈୟାଘ୍ରପାଦ ।
ଦେବବ୍ରତଙ୍କର ସାଙ୍କୃତ୍ୟ 'ପ୍ରବର'
ପୂର୍ବଜ ଯେ ଥିଲେ ଭରତ ।।
କୁରୁ-ପାଣ୍ଡବଙ୍କ ଥିଲେ ପିତାମହ
ଭାର୍ଗବଙ୍କ ପ୍ରିୟ ଶିଷ୍ୟ ।
ଶ୍ରେଷ୍ଠ ଧନୁର୍ଦ୍ଧର ଥିଲେ ଏ ମହୀରେ
ନଥିଲେ ଯୋଦ୍ଧା ତାଦୃଶ ।।
ଇଚ୍ଛାମୃତ୍ୟୁ ବର ଦେଇଥିଲେ ପିତା
ପ୍ରିୟପୁତ୍ର ଯେ ଭୀଷ୍ମଙ୍କୁ ।
ନିଜ ଇଚ୍ଛା ବିନା କଦାପି ସେ ମୃତ୍ୟୁ
ନ ଆସିବ ନିକଟକୁ ।।
ପରମଧାର୍ମିକ ଥିଲେ ଦେବବ୍ରତ
ସତ୍ୟନିଷ୍ଠ-ଦୟାବନ୍ତ ।
ତ୍ୟାଗ ଓ ଆଦର୍ଶ ତାଙ୍କ ଜୀବନର
ହୋଇଥିଲା ମୂଳମନ୍ତ୍ର ।।
ବାସୁଦେବଙ୍କର ଥିଲେ ଅତି ପ୍ରିୟ
କୃଷ୍ଣେ କରି ସଦା ଭକ୍ତି ।
ଧର୍ମ-ନୀତି ଶାସ୍ତ୍ର ଚର୍ଚ୍ଚା କରି ସଦା
ପାଉଥିଲେ ଆତ୍ମତୃପ୍ତି ।।
ପୁତ୍ରତୁଲ୍ୟ ଧୃତରାଷ୍ଟ୍ରଙ୍କୁ ସର୍ବଦା
ଦେଉଥିଲେ ଧର୍ମଜ୍ଞାନ ।
ତଥାପି ପୁତ୍ରାନ୍ଧେ ହୋଇ ଅନ୍ଧୀଭୂତ
ହରାଇଲେ ସଦଜ୍ଞାନ ।।
ଆତ୍ମୀୟ ଶତପୌତ୍ରଙ୍କୁ ପିତାମହ
ଦେଉଥିଲେ ନୀତିଶିକ୍ଷା ।
ଗୁରୁଜନ ଆଜ୍ଞା କରିଣ ଅବଜ୍ଞା
ଧର୍ମକୁ କଲେ ଉପେକ୍ଷା ।।
ଅଧର୍ମୀ-ଅନ୍ୟାୟୀ ଥିଲେ ଶତପୁତ୍ର
ନୀତିଭ୍ରଷ୍ଟ-ପଥଭ୍ରଷ୍ଟ ।
ପାଣ୍ଡବଙ୍କ ଶିରୀ ଦେଖୁ ତ ନ ଥିଲେ
ହୋଇଥିଲେ ବୁଦ୍ଧିଭ୍ରଷ୍ଟ ।।
ଏ ସମସ୍ତ କାର୍ଯ୍ୟୁ କ୍ଷାନ୍ତ ରହିବାକୁ
ଉପଦେଶ ଦେଉଥିଲେ ।
ତଥାପି କାହାକୁ ଖାତିରି ନକରି
ଅକର୍ମ ଯେ କରୁଥିଲେ ।।
ପିତାମହଙ୍କର ସବୁ ଆଦେଶକୁ
କରିଥିଲେ ପାଣିଗାର ।
ବେଖାତିରି ଆଉ ହେୟ ଜ୍ଞାନ କରି
ଭୁଲିଥିଲେ ସଦାଚାର ।।
ଏସବୁ ସତ୍ତ୍ୱେ ବି ଭୀଷ୍ମପିତାମହ
ଅଧର୍ମ ପକ୍ଷରେ ରହି ।
ବହୁ ଦୁଃଖ-କଷ୍ଟ-ଯନ୍ତ୍ରଣା ଭୋଗିଲେ
ଅପମାନ ସବୁ ସହି ।।
ଦୁର୍ଯ୍ୟୋଧନ ଅନୁରୋଧ ରକ୍ଷାକରି
ଯୁଦ୍ଧେ ହେଲେ ସେନାପତି ।
ତଥାପି ଭାଗ୍ୟର ବିଡମ୍ବନା ଥିଲା
ନ ପାଇଲେ କେବେ ଶାନ୍ତି ।।
ଅଠରଦିନର ଯୁଦ୍ଧେ ପିତାମହ
ନେତୃତ୍ୱ ଯେ ଦଶଦିନ ।
ଅଷ୍ଟାଦଶ-ଅନ୍ତେ ଶେଷ ପରିଣତି
ତାଙ୍କ ପାଇଁ ଯେ ଦୁର୍ଦ୍ଦିନ ।।
ଅର୍ଜୁନ ସାୟକେ ହେଲେ ଶରଶାୟୀ
ପୁଣି ସେ ରକ୍ତରଞ୍ଜିତ ।
ଶତାଧିକ ଶର ଶରୀରେ ଭେଦିଲା
ମହାରଥୀ ହେଲେ ସୁପ୍ତ ।।
ଶରଶଯ୍ଯାରେ ସେ ଆଠାବନ ଦିନ
ହୋଇଥିଲେ ଶଯ୍ୟାଶାୟୀ
ଯୁଧିଷ୍ଠିରଙ୍କୁ ସେ ଚତୁର୍ବର୍ଗ ଜ୍ଞାନ
ଦେଇଥିଲେ ପ୍ରୀତ ହୋଇ ।।
ଅନୁଶାସନ ଓ ରାଜନୀତି ଶିକ୍ଷା
ବିଶଦେ ଦେଲେ ବୁଝାଇ ।
ପ୍ରିୟ ପାଣ୍ଡବଙ୍କୁ କଲେ ଆଶୀର୍ବାଦ
ହସ୍ତିନା ଦାୟିତ୍ୱ ଦେଇ ।।
ସୂର୍ଯ୍ୟଙ୍କ ଉତ୍ତରାୟଣ ସମୟରେ
ମକର ସଂକ୍ରାନ୍ତି ଦିନ ।
ଏକଶତ ପଚାଶ ବର୍ଷ ବୟସେ
ଇଚ୍ଛାରେ ତ୍ୟଜିଲେ ପ୍ରାଣ ।।
ଧନ୍ୟ ଦେବବ୍ରତ ଧନ୍ୟ ତୁମେ ଭୀଷ୍ମ
ସଦାଧନ୍ୟ ପିତାମହ ।
ପୁରାଣେତିହାସେ ତୁମ ଯଶକୀର୍ତ୍ତି
ରହିବ ଚିର ଅକ୍ଷୟ ।।
