ବହି
ବହି
ବହି ମାନେ ଗତକାଲି ଥିଲେ ଅମୃତାୟନ
ଆହ୍ୱାନ କରୁଥିଲେ ଆବାଳବୃଦ୍ଧବନିତାଙ୍କୁ
ଜ୍ଞାନର ମହାସମୁଦ୍ରରେ ଅବଗାହନ କରିବାକୁ,
ଶିଶୁଟି ଅକ୍ଷର ଚିହ୍ନିବା ଆଗରୁ ଚିତ୍ର ଦେଖୁଥିଲା,
ପରିଚିତ ହେଉଥିଲା ନିଜ ଚାରିପଟର ପୃଥିବୀ ସହ,
ଅକ୍ଷର ଚିହ୍ନିବା ପରେ ପ୍ରଥମ ବହି “ବର୍ଣ୍ଣବୋଧ”ରୁ
ଶିକ୍ଷା, ସହ ସଂସ୍କାର, ଦେଶ ଭକ୍ତି, ଶିଖୁଥିଲା,
ପରିଚିତ ହେଉଥିଲା ପରିବାର, ପରମ୍ପରା ସହିତ,
କୈଶୋରରେ ଜଣା ଅଜଣା ବିଶ୍ୱର ଅନୁସନ୍ଧାନ,
ନିଜର ସାଙ୍ଗସାଥିଙ୍କ ମେଳରେ ନାନା ପ୍ରକାର ବହି ପଢି
ଶିଖୁଥିଲା ଜୀବନର ରହସ୍ୟ, ଜୀବନର ଲକ୍ଷ୍ୟ,
ଭବିଷ୍ୟତ ଜୀବନର ପନ୍ଥା ନିର୍ଦ୍ଧାରଣ କରିବାର କୌଶଳ,
ଆଦ୍ୟ ଯୌବନ ରେ ପ୍ରେମର ପରିଭାଷା ଶିଖାଉଥିଲା ବହି ,
ମଧ୍ୟାହ୍ନରେ ଜୀବନର ବାସ୍ତବତା ଚିହ୍ନାଉଥିଲା ବହିର ପୃଷ୍ଠା,
ପୁଣି ଶେଷ ଜୀବନର ଶେଷ ଆଶ୍ରା ଥିଲା ପୁରାଣ ବହି।।
ଆଉ ଏବେ ? ଏବେ ତ ଆଧୁନିକ ଯନ୍ତ୍ର ଯୁଗ ,
ବହି ମାନେ ଆତଯାତ ହେଉଥାନ୍ତି ମଣିଷର
ଆଙ୍ଗୁଠି ଟିପରେ, ପଲକରେ ଖୋଲିଯାଏ ଶହ ଶହ ପୃଷ୍ଠା,
ବହିକୁ ମଲାଟ ଦରକାର ନାହିଁ କି ଆଲମୀରା , ସେମାନେ
ସହାବସ୍ଥାନ କରୁଥାନ୍ତି କେବେ ସାର୍ଟର ଛାତି ପକେଟ୍ ରେ
ତ କେବେ ଟାଇଟ୍ ଜିନ୍ସ ପ୍ୟାଣ୍ଟର ପଛ ପକେଟ୍ ରେ
କେତେବେଳେ ସୁନ୍ଦରୀ ତରୁଣୀ ମାନଙ୍କ ହାତ ମୁଠାରେ ତ
କେବେ କେବେ ଅଫିସ୍ ର ଭଙ୍ଗା କାଠ ଟେବୁଲ୍ ଉପରେ ।
ଆଜିକାଲି ମହାନ୍ତି ବାବୁ , ମହାପାତ୍ର ବାବୁ ମାନେ ବି
ନିଜ ଘର ମାନଙ୍କରେ ରଖିଥିବା ସୁନ୍ଦର ବହିରେ ସୁସଜ୍ଜିତ
ଲାଇବ୍ରେରୀ ମାନଙ୍କୁ ବି ରିନୋଭେସନ୍ ନାଁରେ ଭାଙ୍ଗି ଦେଇ
ବିସ୍ଥାପିତ କରି ଦେଲେଣି ବହି ମାନଙ୍କୁ , ଘରର କେଜାଣ କୋଉଠି
କୋଉ ଗୋଟେ ଅଲୋଡା ଷ୍ଟୋର୍ ଘର କି ବାକ୍ସରେ ପଡି
ସଢୁଛନ୍ତି ବହି ମାନେ , ଝୁରି ହେଉଛନ୍ତି, ବିଗତ ଦିନ କୁ,
ଯେବେ ଅଫିସ୍ ରୁ ଫେରି ,ଫ୍ରେସ୍ ହୋଇ ବାବୁମାନେ
ସିଧା ଆସୁଥିଲେ ସେମାନଙ୍କ ପାଖକୁ ଲାଇବ୍ରେରୀକୁ,
କେଡେ ସରାଗରେ ସେମାନଙ୍କ ଉପରୁ ରୁମାଲ୍ ରେ
ଧୂଳି ଝାଡି ଦେଇ ସ୍ନେହର ପରଶଟିଏ ଦେଉଥିଲେ,
ଶ୍ରୀମତୀ ମାନେ ବି ଆସୁଥିଲେ ସେଠିକି ହାତରେ
ଧୂମାୟିତ ଚା କପ୍ ଆଉ ଓଠରେ ମନମୋହିନୀ ହସ ଧରି,
ବାବୁ ମାନେ ବହି ଧରି ବସିଥିବା ସୋଫାର ହାତ ଉପରେ
ଉପବିଷ୍ଟ ହେଉଥିଲେ, ସେମାନଙ୍କ କୋମଳ ହାତର ଉଷ୍ଣତା ସବୁ
ବାବୁ ମାନଙ୍କ ହାତ ଦେଇ ସଞ୍ଚରି ଯାଉଥିଲା ବହି ମାନଙ୍କ ମଧ୍ୟକୁ ।
ଆହା! କେଡେ ସୁନ୍ଦର ଦିନ ଥିଲା ସେଇ ଦିନ ସବୁ !
ହଁ , ଗୋଟିଏ ନୂଆ ଘଟଣା ଘଟୁଛି ଏବେ ,
ପୁସ୍ତକ ମେଳାକୁ ଯାଉଛନ୍ତି ଶ୍ରୀମତୀ ମାନେ,
ଖୁବ୍ ସାଜିସୁଜି, ନୂଆ ନୂଆ ଡିଜାଇନ୍ରର ଶାଢୀ, ଗହଣାରେ,
ବନ୍ଧୁ ମିଳନ, ଖିଆପିଆ, ଗପସପ ସବୁ ହେଉଛି, ଢେର ଢେର୍
ନୂଆ ନୂଆ ଦାମୀ ଦାମୀ ବହି ସବୁ କିଣି ଆଣୁଛନ୍ତି,
ହେଲେ ବର୍ଷ ବର୍ଷ ଧରି ପୃଷ୍ଠାଟିଏ ବି ଖୋଲିବାକୁ
ସମୟ ବାହାର କରି ପାରୁନାହାଁନ୍ତି ସେମାନେ
ବହି ମାନଙ୍କର ଖୁବ୍ ଦୁଃଖ, ଅନୁଢା ରହି ଯାଉଛନ୍ତି ସେମାନେ ।।
