ଭବ୍ୟ ଭୁଆସୁଣି
ଭବ୍ୟ ଭୁଆସୁଣି
1 min
378
ଶୀତ ଗୋ,ତୁମେ ତ
ଚନ୍ଦ୍ର ମଉଳିର ବେଶେ,
ଯାଉଅଛ ଚାଲି
ମୁକ୍ତା ମୁକୁଳିତ କେଶେ ।
ଯାଉଅଛ ଚାଲି
ବିରହୀ ମୟୂରୀ ପରି ।
ସତେକି କାନ୍ଦୁଛି
ବିରହରେ ଅଭିସାରୀ ।
ଆସିଥିଲ ଯେବେ
ଶ୍ରାବଣୀ ସରମି ଥିଲା ।
ସରମି ସରମି
ନରମରେ ନଇଁ ଥିଲା ।
ଶାରଦୀୟ ଜ୍ୟୋତ୍ସ୍ନା
ଶୀତାକ୍ତ ସଂଭ୍ରମେ ଛୁଇଁ ।
ସ୍ୱାଗତି ଥିଲା ଗୋ
ତୁମକୁ ନୈବେଦ୍ୟ ଦେଇ ।
ବସୁଧା ଓଢଣୀ
କାକର କଣିକା ତଳେ ।
ଭିଜା ଭିଜା ରଙ୍ଗେ
ଶିହରଣ ତୋଳୁଥିଲେ ।
କେଉଁ ଅଭିମାନେ
ଯାଉଛ ଗୋ ଚାଲି ଦୂରେ !
ଅବହେଳିତ ତ
ନ ଥିଲ ମରତ ପୁରେ ! !
ଭାବୁଛି,ବସନ୍ତ
ମହକେ ସମ୍ମାନ ଦେଇ ।
ଚାଲି ଯାଉଅଛ
କ୍ଷଣିକ ବିରତି ନେଇ ।
ଯାଅ ଗୋ ଶୀତ ଶ୍ରୀ
ଫଗୁଣ ଅପେକ୍ଷା ରତ ।
ରୁଣୁ ଝୁଣୁ ସୁରେ
ଧାଉଁଛି ଅନବରତ ।
ଆସୁଛି,ଆସିବ
ଫଗୁଣୀମା ରଙ୍ଗ ନେଇ ।
ବସୁଧା ମାଆ ମୋ'
ଆତୁରେ ଅଛି ଅନେଇ ।
ସବୁ ଋତୁ ପାଇଁ
ବସୁଧା ଅଗଣା ଖୋଲା ।
ହସି ଖେଳି ଯାଅ
ତୁମେ ତ ଋତୁର ଲୀଳା ।
ଲେଉଟି ଆସିବ
ଆଗାମୀ ବରଷେ ପୁଣି ।
ଅନେଇ ଥିବୁ ଗୋ
ଶୀତ, ଭବ୍ୟ ଭୁଆସୁଣୀ ।
