ଭାରତୀ ସ୍ତବ
ଭାରତୀ ସ୍ତବ
ଅୟି ମାତ ସରସ୍ବତି ଜନନୀ ବିଶ୍ବ ଭାରତି
ତବ ଶ୍ରୀ ପଦାରବିନ୍ଦେ କରେ ପ୍ରଣତି
ସଭକ୍ତି ମାନସ ପୂଜା କରେ ମାତ ଚତୁର୍ଭୁଜା
ଶ୍ରଦ୍ଧାସୁମନ ଅର୍ପଣ କରିଣ ନିତି
ଯଥାଶକ୍ତି ମହିମା ସ୍ମୃତି
ତୁମର ଗୁଣ କୀର୍ତ୍ତନେ ଦେଇଣ ମତି ।
ଶୁକ୍ଳ ବସ୍ତ୍ର ପରିହିତା ଶୁଭ୍ର ପୁଷ୍ପ ସୁଶୋଭିତା
ସୀତାଂଶୁ ମୁଖ ତୁମର ଅଟେ ସୁକାନ୍ତି
ଶ୍ବେତ ପଦ୍ମେ ଉପବିଷ୍ଟ। ଧବଳ ରଙ୍ଗେ ସଜ୍ଜିତା
ଶାନ୍ତ-ସ୍ନିଗ୍ଧ-କମନୀୟ ତନୁର ଜ୍ୟୋତି
ସ୍ମିତହାସ ତୁମ ବଦନ
ଶରଦେନ୍ଦୁକୁ ନିନ୍ଦଇ କ୍ଷଣକୁ କ୍ଷଣ ।
ବୀଣା-ପୁସ୍ତକ ଧାରିଣୀ ଅଭୟବର ଦାୟିନୀ
ଜାଡ୍ୟାନ୍ଧକାର ନାଶିନୀ ଦେବୀ ଜନନୀ
ହସ୍ତେ ସ୍ଫଟିକ ମାଳିକା ଜ୍ଞାନ ଶକ୍ତି ପ୍ରଦାୟିକା
ଆଦ୍ୟାଶକ୍ତି ମହାମାୟୀ ଜଗଦ୍ ବ୍ଯାପିନୀ
ତୁହି ମାତ ବିଶ୍ବ ବନ୍ଦିନୀ
ଚରାଚର ଜଗତର ଜଗଜ୍ଜନନୀ ।
ସମାରୁଢା ଶ୍ବେତହଂସ ଗୀର୍ବାଗ୍ ବାଣୀ ସଦା ଭାଷ
ଭୟ -ଶୋକ ବିନାଶିନୀ ଦେବ ଅର୍ଚ୍ଚିତା
ପାପ-କଳୁଷ ନିହନ୍ତ୍ରୀ ତୁହି ମାତ ଜଗଦ୍ଧାତ୍ରୀ
ଅଷ୍ଟରତ୍ନ ଆଭୁଷଣେ ହୋଇ ଭୂଷିତା
ତୁମେ ଦେବୀ ମୀନ ନୟନା
ସର୍ବ ଦେବ କରୁଥାନ୍ତି ତୁମ ବନ୍ଦନା ।
ବେଦ ତତ୍ତ୍ବ ପ୍ରସାରିଣୀ ଓଁ କାର ନାଦ କାରିଣୀ
ତୁମେ ଦେବୀ ଭଗବତୀ ମା କାତ୍ୟାୟିନୀ
ଅଟୁ ବ୍ରହ୍ମାଙ୍କ ନନ୍ଦିନୀ ପ୍ରଜ୍ଞା ଶକ୍ତି ବିବର୍ଦ୍ଧିନୀ
ବିପଞ୍ଚୀ ସ୍ବରରେ ସର୍ବ ମନମୋହିନୀ
ତୁମେ ବିଶ୍ବ ଭାଷାର ଦେବୀ
ଜ୍ଞାନ ନୀରେ କର ପୂତ ବିଦ୍ୟା ଜାହ୍ନବୀ ।
ଯୋଗସିଦ୍ଧ ଋଷୀଗଣ କରନ୍ତି ମା’ ତବ ଧ୍ୟାନ
କବି-ଭାବୁକ ଲେଖକ ତୋ ବରପୁତ୍ର
ସର୍ବେ ତୋହର ସେବକ ଅଟନ୍ତି ବ୍ରତୀ ସାଧକ
ଐଂ ହ୍ରୀଂ ସରସ୍ବତ୍ଯୈ ନମଃ ଉଚ୍ଚାରି ମନ୍ତ୍ର
ଜଗଦମ୍ବିକେ ଶାରଦେ
ସ୍ନେହମୟି ଜନନ ଗୋ ଅଟୁ ବରଦେ ।
ମାଘ-ଦଣ୍ଡୀ-କାଳଦାସ ଭବଭୂତି ଓ ଶ୍ରୀହର୍ଷ
ଭାସ ଅଆଦି ବାଣଭଟ୍ଟ କବି ପ୍ରବର
ଅହର୍ନିଶ ତୋ ସାଧନା କରି ପୂଜା ଆରଧନା
ସ୍ବକୀୟ ପ୍ରତିଷ୍ଠା ବଳେ ହେଲେ ଅମର
କରି ସାରସ୍ବତ ଚିନ୍ତନ
ଲେଖି ମହାକାବ୍ୟମାନ ହେଲେ ମହାନ ।
ଉତ୍କଳର ବରପୁତ୍ର କବିସମ୍ରାଟ ଉପେନ୍ଦ୍ର
କବି ଦୀନକୃଷ୍ଣ ପୁଣି ସାରଳାଦାସ
କବିସୂର୍ଯ୍ୟ ବଳଦେବ ଭକ୍ତି ଵଳେ ଗାଇ ସ୍ତଵ
କୃପା ଶକ୍ତିରୁ ହୋଇଲେ ଜ୍ଞାନୀ ଅଶେଷ
କଲେ କାବ୍ୟ ଗ୍ରନ୍ଥର ସୃଷ୍ଟି
ଧରାଧାମେ ରଖିଗଲେ ସୁଯଶ କୀର୍ତ୍ତି ।
ରାଧାନାଥ କବିବର ଓ ସ୍ବଭବ ଗଙ୍ଗାଧର
ବିଦଗ୍ଧକବି ଯେ ଅଭିମନ୍ୟୁ ସିଂହାର
କବିରୂପେ ଅଗ୍ରଗଣ୍ୟ ସ୍ଵକୃତିରେ ହେଲେ ଧନ୍ୟ
ରଚିଲେ ଅମରକୃତି କାବ୍ୟସମ୍ଭାର
ସର୍ବେ ପ୍ରକୃତିର ପୂଜକ
କାଳଜୟୀ ହୋଇଗଲେ ମହାସାଧକ ।
ତୁମ୍ଭ କୃପାଶିଷେ ମାତା ମୂକ ହୁଅଇ ସୁବକ୍ତା
ପଙ୍ଗୁ ଗିରି ଲଙ୍ଘିପାରେ ତୁମ ଶକ୍ତିରେ
କଣ୍ଠହୀନ ସୁସ୍ଵରରେ ସଙ୍ଗୀତ ଗାଏ ମଧୁରେ
ଅଜ୍ଞାନ ଯେ ମହାଜ୍ଞାନୀ ହୁଏ ଭକ୍ତିରେ
ମୂର୍ଖ ହୁଏ ମହାପଣ୍ଡିତ
ମାତୃ କୃପାବଳେ ହୁଏ ବିଶ୍ୱ ବିଖ୍ୟାତ ।
ତୁହିଁ ମାତ ବେଦବାଣୀ ବିଶ୍ବବନ୍ଦ୍ଯା ଅଟୁ “ବ୍ରାହ୍ମୀ”
ନିତ୍ୟ ପ୍ରତ୍ୟୁଷରୁ ତୋତେ କଲେ ସ୍ମରଣ
କଣ୍ଠ ଶୁଦ୍ଧି, ଜ୍ଞାନବୃଦ୍ଧି ସ୍ମୃତିଶକ୍ତି ଅଭିବୃଦ୍ଧି
ହୋଇଥାଏ ସମସ୍ତଙ୍କ ବୁଦ୍ଧି ସ୍ଫୁରଣ
ବ୍ରାହ୍ମୀ ପତ୍ରେ ତୋ ଦିବ୍ୟ ସତ୍ତା
ସେ ପତ୍ର ସେବନେ ବ୍ୟକ୍ତି ହୁଏ ଧୀମତା ।
ମାଘ ଶୁକ୍ଳ ପଞ୍ଚମୀରେ ଲଗ୍ନ,ମୁହୂର୍ତ୍ତ ବାସରେ
ଦ୍ଯୁଲୋକରୁ ଭୁଲୋକକୁ ମା’ ଅବତର
କୁସୁମାଞ୍ଜଳି କରରେ ଭକ୍ତି ନୈବେଦ୍ୟ ସମ୍ଭାରେ
କରୁଥାନ୍ତି ପୂଜାର୍ଚ୍ଚନା ସେବି ପୟର
ତୁମେ ମାତ କଲ୍ୟାଣମୟି
ଜନମାନସୁ ଅଜ୍ଞାନ ଯାଉ ଦୂରେଇ ।
