ଭାରତ ବର୍ଷ
ଭାରତ ବର୍ଷ
ବୀରପ୍ରସବିନୀ ଭାରତର ଭୂମି
ସ୍ରଷ୍ଟାଙ୍କ ଅନନ୍ୟ ସୃଷ୍ଟି,
ପବିତ୍ର ଏ ମାଟି ପଡ଼ିଥାଏ ଯହିଁ
ଦେବତାଙ୍କ ଶୁଭ ଦୃଷ୍ଟି।।
ସାଗର ଯାହାର ଚରଣ ଧୁଅଇ
ମସ୍ତକରେ ହିମାଳୟ,
ଶସ୍ୟ ଓ ଶ୍ୟାମଳା ଧରଣୀ ବକ୍ଷରେ
ଖେଳଇ ମୃଦୁ ମଳୟ।।
ସଂସ୍କାର,ସଂସ୍କୃତି,ସମ୍ମାନ,ନମ୍ରତା
ପରମ୍ପରା ଭାରତର,
ଗୁରୁ, ଗୁରୁଜନ, ଅତିଥି ଦେବତା
ଅଗ୍ରପୂଜ୍ୟ ନିରନ୍ତର।।
ସବୁ ଧରମର ସନମାନ ଏଠି
ଭାଇଚାରା ଓ ମିତ୍ରତା,
ସଭିଙ୍କୁ କୋଳାଇ ଏକାଠି ରଖିଛି
ସେହି ମୋ ଭାରତମାତା।।
ଧର୍ମର ପ୍ରତୀକ ଭାରତବର୍ଷରେ
ପୂଣ୍ୟତୋୟା ଗଙ୍ଗାବହେ,
ଋଷି,ମୁନୀ,ଜ୍ଞାନୀ, ମହାପୁରୁଷଙ୍କ
ଇତିହାସ କଥା କହେ।।
ସ୍ୱାଧୀନତା ଦେଲେ ଦେଶର ସଂଗ୍ରାମୀ
ଅହିଂସା ଯେ ମୂଳମନ୍ତ୍ର,
ଦେହରୁ ରକତ ଦେଇଛି ନିଗାଡ଼ି
ଏ ଦେଶର ବୀରପୁତ୍ର।।
ସାଧୁ,ସନ୍ଥ,ଯୋଗୀ, ଦେଶଭକ୍ତ ତ୍ୟାଗୀ
ଯେ ଦେଶେ କରନ୍ତି ବାସ,
ପାବନ ଧରିତ୍ରୀ ବିଶ୍ଵରେ ଅଗ୍ରଣୀ
ସେହି ମୋ ପବିିତ୍ର ଦେଶ।।
ରାମ, କୃଷ୍ଣ,ବୁଦ୍ଧ, ପୁଣ୍ୟଶ୍ଲୋକ ସମ
ବିଶ୍ଵରେ ଚିର ଆଦର୍ଶ,
ଧନ୍ୟ ସେ ଜନନୀ ତପୋବନ ଭୂମି
ସେ ଦେଶ ଭାରତବର୍ଷ।।