ଭାରି ଆପଣାର ଶିଶୁ
ଭାରି ଆପଣାର ଶିଶୁ
ଈଶ୍ୱରଙ୍କ ଅନବଦ୍ୟ ସୃଷ୍ଟି ଶିଶୁ
ଯିଏ ତାର କଅଁଳ ବୟସରେ
ଚପଳମତି ଫୁଲ ପରି କୋମଳ ମନରେ
ନାଚେ ଖେଳେ ହସେ
ଜିଦ ଆଉ ଅଳି କରେ
ପୁଣି କେତେବେଳେ ରୁଷେ
ତାର ନିରୀହ ମୁହଁ ଟଳମଳ ପାଦ
ଠୁକୁଠୁକୁ ଚାଲି ଆଉ ଖଣ୍ଡିଖଣ୍ଡି କଥାରେ
ମନ ମୋହି ନିଏ
ତାର ସୁନ୍ଦର ହସରେ
ଅମୃତର ଧାରା ବହିଯାଏ
ସେହି ଧାରା ସାରା ସଂସାରକୁ
ସୁଖମୟ କରିଦିଏ
ଆମର ଅନେକ ଦାୟିତ୍ୱ
ଯେବେ ତାର ନିଷ୍ପାପ ଆଖିରେ
ସବୁଜ ସପନ ଭରିବା
ଝୁଣ୍ଟି ନ ପଡେ ଯେମିତି
ତାର ହାତ ଧରି ବାଟ ଚଲାଇବା
ପିତାମାତା ଗୁରୁଗୁରୁଜନଙ୍କ ପ୍ରତି
ତାର ନିର୍ମଳ ମନରେ
ଅହେତୁକ ଅକୁଣ୍ଠିତ ପ୍ରେମ ଭରି ଦେବା
ଜୀବନ ଯୁଦ୍ଧରେ ଯେମିତି ହାରି ନଯାଏ
ଅନୀତି ନୁହେଁ ନୀତିକୁ ଆଚରି
ତାକୁ ଜିତିବା ଶିଖାଇବା
ଆମ ଜୀବନ ମାନବିକତା ପୂର୍ଣ୍ଣ
ସଂସ୍କାର ପାଇ ସେ କରୁ
ସଂସ୍କୃତିର ଜୟଗାନ
ବିକଶିତ କରୁ ତାର ଚରିତ୍ର
ପ୍ରତିଭା ଓ ଗୁଣ
ଲାଭ କରି ଅନେକ ଜ୍ଞାନ
ତାର ବିବେକ ବୁଦ୍ଧି ବଳ ସାହସରେ
ଏ ଧରା ହୋଇଉଠୁ
ସୁବାସିତ ମଧୁମୟ ମଧୁର ନବୀନ ।
