ବେଙ୍ଗ କହେ ବେଙ୍ଗୁଲୀ ଲୋ
ବେଙ୍ଗ କହେ ବେଙ୍ଗୁଲୀ ଲୋ
ବେଙ୍ଗ କହେ ବେଙ୍ଗୁଲୀଲୋ,
ପୃଥିବୀ କ୍ଷଣ କ୍ଷଣକେ ଆନ
ଋତୁ ବଦଳୁଛି ମାସ ବଦଳୁଛି,
ବଦଳୁଛି ରାତିଦିନ ।
ବଦଳି ଯାଉଛି ଦୁନିଆର ରୀତି,
ବଦଳେ ମଣିଷ ମନ
କୁସଂସ୍କାର ଆଉ କୁଚିନ୍ତାକୁ ନେଇ,
କଟୁଛି ଆଜି ଜୀବନ ।
ପତଙ୍ଗ ପରାୟେ ଅନଳକୁ ଦେଖି,
ବିନାଶକୁ କରେ ଗତି
ଗୁରୁ ଗୁରୁଜନ ମାନ ସନମାନ,
କାହାରିକୁ ନାହିଁ ଭୀତି ।
ଧର୍ମ ଡଙ୍ଗା ଏଠି ଦରିଆ ମଝିରେ,
ଭାସୁ ଭାସୁ ବୁଡ଼ିଯାଏ
ଅଧର୍ମ ରାଜୁତି ସାରା ସଂସାରରେ,
ଅଟ୍ଟହାସ୍ୟ କରୁଥାଏ ।
ରାମରାଜ୍ୟ ଶବ୍ଦ ସପନ ହୋଇଲା,
ରାବଣ ରାଜୁତି କରେ
ସୁଖ ନାମ ଏଠି ସୁନାମିରିଗ ଲୋ,
ଦୁଃଖୀ ବନବାସ କରେ ।
ଅଧର୍ମ ମେଲିଛି ଫାଶଲୋ ବେଙ୍ଗୁଲୀ,
ପାଦେ ପାଦେ ଶଙ୍କା ଆସେ
ଆଶା ଦେବଦାରୁ ନିରାଶା ମରୁରେ,
ପୂର୍ଣ୍ଣ ହୁଏ ଦୁବ ଘାସେ ।
ଆଖିକୁ ଦିଶଇ କାଞ୍ଚନ ସମାନ,
ଛୁଇଁ ଦେଲେ କାଚ ହୁଏ
ବଡ଼ ବିଚିତ୍ର ଏ ସ୍ନେହ ଅନୁରାଗ,
ସ୍ଵାର୍ଥେ ବନ୍ଧା ହୋଇଥାଏ ।
ଭାଗ୍ୟ ଧରିଅଛି ହାତେ ମିଛ ଡୋରୀ,
କହିବା କାହାକୁ ଆଉ
ନିସ୍ଵାର୍ଥ ସାଧନା ଆଜି ବିଡମ୍ବନା,
ବିବେକ ସାଧୁଛି ଦାଉ ।
ଘୋର କଳିକାଳ ଡାକେ ମହାକାଳ,
ଭୁଲୁଛି ଭଲ ମନ୍ଦକୁ
ଚଳନ୍ତି ଦେବତା ଅଲୋଡ଼ା ହୁଅନ୍ତି,
ଗଲେ ସେ ବୃଦ୍ଧାଶ୍ରମକୁ ।
ଜ୍ଞାନ ମାନ ସବୁ ଚୁଲିରେ ପଶିଲା,
ମା"କୁ ଭୁଲୁଛି ପୁଅ
ପେଟେ ଓଦାକନା ଯେଉଁପିତା ଦେଲା,
ଚାହୁଁନି ତାହାର ମୁହଁ ।
ସମ୍ପର୍କର ସେତୁ ଭାଙ୍ଗି ଯାଏ ପରା,
ଧର୍ଷିତା ନାଁଆବାଳିକା
ଧର୍ମର ନିକିତି ଓଜନ କମୁଛି,
ଅଧର୍ମ ହୁଏ ଅଧିକା ।
କଳାକନା ବାନ୍ଧି ଆଖିରେ ଅନୀତି,
ବୁଲୁଅଛି ସମାଜରେ
ଧନ ମାନ ଯଶ ଅଢେଇ ଦିନିଆ,
ଭୁଲିଯାଏ ଅକ୍ଳେଶରେ ।
କର୍ମ ଫଳ ପରା ଭୋଗିବାକୁ ହୁଏ,
କୃଷ୍ଣ ଦେଇଥିଲେ କହି
କୁକର୍ମ ର ଭାର ବଢ଼ି ବଢ଼ି ଯାଏ,
ଓଲଟି ଯିବ କି ମହୀ ।
ଚକାଆଖି ସବୁ ଦେଖୁଛି ବେଙ୍ଗୁଲୀ,
ହସୁଅଛି ଅଧା ଅଧା
ତା ମାୟା କାହାକୁ ବୁଝା ନପଡିବ,
ସେଇ ପରା ଅସୁବିଧା ।
ଅଧର୍ମ କଳସ ପୁରି ପୁରି ଆସେ,
ଅବତାର ନେବେ କଲ୍ଲୀ
ବାର ହାତ ଖଣ୍ଡା ବୁଲିବ ଧରାରେ,
କାଳୀକା ଛାଡ଼ିବେ ରଡିକି ।
ଧର୍ମ ଛଡା ପଥ ନାହିଁ ଏ ଜୀବନେ,
ଅର୍ଜନ କରିଲେ ତାକୁ
ସୁଗମ ହୋଇବ ଦୁର୍ଲଭ ଜୀବନ,
ମନକୁ କରିଲେ କାବୁ ।
ନୀତି ଅନୀତିର ଗୁଢ ରହସ୍ୟକୁ,
ବୁଝି ନ ପାରିଲେ ଧନ
ଏତିକି ଜାଣିଥା ଭେଦଭାବ ଭୁଲି,
ସଭିଙ୍କୁ ଦେଖ ସମାନ ।
ଅଫିଟା ଫାଶତ ଫିଟିଯିବ ଦିନେ,
ବନବାସ ହେବ ଶେଷ
ସମଭାବlପନ୍ନ ମଣିଷ ହୋଇବ,
ଘୁଞ୍ଚିଯିବ ସବୁ କ୍ଳେଶ ।
ମନ୍ଦପରେ ଭଲ ଆସିବ ନିଶ୍ଚିତ,
ରାତି ପରେ ଦିନ ହୁଏ
ଯୁଗ ପରେ ଯୁଗ ଚାଲିଛି ବେଙ୍ଗୁଲୀ,
ଅଧର୍ମ ବିନାଶ ହୁଏ ।