ବେଳ ହେଲା ରତରତ
ବେଳ ହେଲା ରତରତ
ସବୁ ସମ୍ମାନିତ ବୟସ୍କ ଜନଙ୍କୁ
ସାଦର ଅଭିନନ୍ଦନ
ଆସନ୍ତୁ ଜାଣିବା କିଛିଟା ଲକ୍ଷଣ
ବୟସାଧିକ ପ୍ରମାଣ ।
ଘରୁ ବାହାରକୁ ଯିବା ପାଇଁ ବେଶୀ
ବଳୁ ନାହିଁ ଯଦି ମନ
ଜାଣନ୍ତୁ ବାର୍ଦ୍ଧକ୍ୟ ହେଲା ଉପନୀତ
ଇଚ୍ଛା ଶକ୍ତି ଅବସନ୍ନ ।
ପ୍ରିୟ ସାଙ୍ଗ ବନ୍ଧୁ କଲେ ନିମନ୍ତ୍ରଣ
ପାଟି ହୁଏ ଖନଖନ
ରହିଛି ଜରୁରୀ କାମ ବୋଲି ଦିଅ
ବାହାନାର ଉପକ୍ରମ ।
ଭଲ ଦାମୀ ଖାଦ୍ୟ ଖାଇଲେ ବାହାରେ
ଘର ଖାଦ୍ୟ ମନେପଡେ
ମଉଜ ମସ୍ତିର ଚଳଚ୍ଚିତ୍ର ଦେଖି
ବିରକ୍ତି ଓ ଚିଡା ମାଡେ ।
ନୁଆ ନୂଆ ବସ୍ତ୍ର କ୍ରୟ ପରିଧାନେ
ନ ଥାଏ ମନେ ଆଗ୍ରହ
ଘୂରେ ନାହିଁ ମନ ପ୍ରଜାପତି ପରି
ଘାରେ ମନେ ପତ୍ନୀ ମୋହ ।
ଫୁଲର ସୁଗନ୍ଧ ମଧୁର ମହକ
ମଧୂପର ଗୁଞ୍ଜରଣ
ସନ୍ଦର୍ଶନେ ଯଦି ପ୍ରେମ ସୁଧାନିଧି
ନ ହୁଏ ଛାନ୍ଦ ସ୍ମରଣ ।
ଜାଣନ୍ତୁ ଆସନ୍ନ ଜୀବନ ସାୟାହ୍ନ
ବେଳ ହେଲା ରତରତ
ବିଶ୍ରାମ ଏକାନ୍ତ ଅଟେ ଆବଶ୍ୟକ
ଦେହ ମନ ଶ୍ରାନ୍ତ କ୍ଲାନ୍ତ ।
ଆଚାର ବିଚାରେ ରଖ ନିୟନ୍ତ୍ରଣ
ହୁଅ ସ୍ୱାସ୍ଥ୍ୟ ଯତ୍ନଶୀଳ
ବୟସ୍କଙ୍କ ପକ୍ଷେ ସ°ଯମତା ଶ୍ରେୟ
ଜଣାଉଛି ନମସ୍କାର ।
