ବୈତରଣୀ
ବୈତରଣୀ
ମୋ ଜୀବନର ବୈତରଣୀଟି
ଗୋଟେ ଅଲୋଡା଼ ଅଭିଶପ୍ତ ଧାରା
ଡହଡ଼ହ ବୈଶାଖରେ ଯେମିତି
ଶୁଷ୍କ ହୋଇଥାଏ ତଟିନୀ।
ମୁଁ ସ୍ବର୍ଗର ମନ୍ଦାକିନୀ ନୁହଁ
ପାତାଳର ଭୋଗବତୀ କି
ମର୍ତ୍ତ୍ଯର ଗଙ୍ଗା ଭାଗିରଥୀ ବି ନୁହଁ
ନୁହେଁ ମଧ୍ଯ କେନ୍ଦୁଝର ଗୁପ୍ତଗଙ୍ଗା ବୈତରଣୀ।
ଯିଏ ଗୋନାସିକାରୁ ବାହାରି
ବ୍ରହ୍ମେଶ୍ବର ଶିବ ମହାଦେବଙ୍କ ପାଦ ଧୋଇ
କଳକଳ ଛଳଛଳ ମୁଖରିତ
କେତେ ପ୍ରାଣୀ ଓ ଉଦ୍ଭିଦଙ୍କୁ ଯୋଗାଉଛି ଆନନ୍ଦ ଲହରି
ଅଙ୍କାବଙ୍କା ଚାଲି ଆଉ କୁଳୁକୁଳୁ ରାଗିଣୀରେ ଆହା !
ଦୌଡୁଅଛି ଅବିରାମ ପ୍ରିୟତମ ପାଖକୁ।
ସିଏ ବି ପ୍ରସାର କରିଛି ହସ୍ତକୁ
ଯିଏ କେବେ କିଛି ବି ନିଏ ନାହିଁ
ଯାହା ଦେଲେ ମୁକ୍ତ ହସ୍ତରେ ଫେରାଇ ଦେଇଥାଏ
ଖୁସିରେ ଖୁସିରେ।
ଏ ବୈତରଣୀ କିନ୍ତୁ ଭିନ୍ନ
ଯିଏ ନିତି କାନ୍ଦୁଛି ଗୁମୁରି ଗୁମୁରି
ଯେମିତି ଲୋଟଣୀ ପାରାଟିଏ
ଅଥବା ଗୋଟେ ଭୟଙ୍କର ଅଭିଶପ୍ତ ନାୟିକା।
କଣ୍ଟକିତ ତାର ପଥ
ଚାଲି ବି ନୀରବ ନିଥର
ସ୍ବାର୍ଥରେ ସ୍ବାର୍ଥରେ ଓ ଗର୍ବ ଅହଙ୍କାରେ।
ମୁଁ ଯୋଗାଇ ପାରେନା କିଛି
ଯେମିତି ଗୁପ୍ତଗଙ୍ଗା ବୈତରଣୀ ଯୋଗାଏ
ପ୍ରାଣୀ ଓ ଉଦ୍ଭିଦଙ୍କୁ।
ମୁଁ ତ ମୁଁ
ଗୋଟେ ରୋଗିଣା ଶୁଷ୍କ ବୈତରଣୀ
ପ୍ରତିକ୍ଷଣ କାନ୍ଦିବାକୁ ହୁଏ କର୍ମର ଫଳରେ
ସହିବାକୁ ବି ହୁଏ ଈଶ୍ବର ଦତ୍ତକୁ।
କିଏ ପାରନ୍ତି ତ ଭାଙ୍ଗି ଦିଅନ୍ତୁ ଅଣ୍ଟା
ମୋଡି଼ ଛିଣ୍ଡାଇ ଦିଅନ୍ତୁ ବେକ
ନିତି ମରିମରି ବଞ୍ଚିବା ଅପେକ୍ଷା
ମୃତ୍ଯୁକୁ ସ୍ବାଗତ କରିବା ଶ୍ରେୟସ୍କର
ଆଜି ମୁଁ ଚାହୁଁଛି।
ଦେଖ !
ମୋ ଜୀବନ ବୈତରଣୀଟି ଭାରି ସ୍ବାର୍ଥପର
କାହାକୁ ଦେବା କୁଣ୍ଠାବୋଧ କରେ
ଅଥଚ ସବୁକିଛିକୁ ହାତେଇ ନିଏ
କଳେବଳେ କୌଶଳେ ।
ହେ ଗୁପ୍ତଗଙ୍ଗା ବୈତରଣୀ !
ମୋ ଜୀବନ ତୁମ ପରି ହେବାକୁ ଚାହୁଁନି
ଚାହୁଁନି ବି ମନ୍ଦାକିନୀ,ଭୋଗବତୀ ଅବା ଭାଗିରଥୀ ପରି
ମୁଁ ତ ଗୋଟିଏ ସ୍ବାର୍ଥପର
ନିନ୍ଦୁକ,ନୀଚ୍ଚ,ଧୀଟ ଆଉ ଧପ୍ପାବାଜ
ପ୍ରତିକ୍ଷଣ ଦେବାରେ ନୁହେଁ,ନେବାରେ ମସଗୁଲ
ସେଥିପାଇଁ ବୋଧହୁଏ
ପୁଳାପୁଳା ରୋଗ ଓ ଯନ୍ତ୍ରଣା।
ନିତି ମରିମରି ବଞ୍ଚିବାକୁ
ଈଶ୍ବର କି ଚାହାଁନ୍ତି?
ମୁଁ ବୁଝୁଛି ନା ସୁଧାରି ନେଉଛି?
ଧୀକ୍ !
ମୋ ଜୀବନ ବୈତରଣୀକୁ।
