ବାଉଁଶ
ବାଉଁଶ
କେଉଁ ଉପାଦାନେ ଗଢ଼ିଲା ରେ ବିହି,
କିଏ ବା କଳିବ ସତେ,
ଆଦ୍ୟ ଠାରୁ ଅନ୍ତ ସତେକି ଅନନ୍ତ
ସରି କିଏ ତୋ'ର ସାଥେ ?
ଭିନ୍ନ ଭିନ୍ନ ରୂପ, ପ୍ରତି ରୂପେ ଗଳ୍ପ
ରଚିଛୁ ତୁ ଚାରି ଯୁଗେ,
କେବେ ତୁ ମୂରଲୀ କେବେ ତୁ କୋଦଣ୍ଡ
ସମୟ ର ସ୍ରୋତ ବେଗେ ।
ସତୀ ସୀତା ଙ୍କୁ ତୁ ସଂସାରୀ ସଜେଇ
ସ୍ତବ୍ଧ କଲୁ ତିନି ପୁର,
ଶିବଧନୁ ସାଜି ପରଶୁ ବିରାଜି
ତ୍ରେତୟା ହେଲା ସ୍ୱାକ୍ଷର ।
ଦ୍ୱାପରେ ଶ୍ରୀରାଧା ତୋ ବିନାରେ ଅଧା
ସାଜିଲୁ ବଇଂଶୀ ଖଣ୍ଡେ,
ଚନ୍ଦ୍ରସେନା ରାଣୀ ସାଜି ବାଇଆଣୀ
ଧାଇଁଲା ଗୋପର ଦାଣ୍ଡେ ।
ବାଲ୍ୟକାଳେ ସାଜୁ ଶାସନ ର ଛଡ଼ି
ବୃଦ୍ଧକାଳେ ଆଶାବାଡ଼ି,
ଯୌବନେ ସାଜୁ ତୁ ପରାକ୍ରମୀ ବୀର
ଲହୁରେ ଲୁହ ଅଜାଡ଼ି ।
ଯୁଇ ଚିତା ରେ ତୁ କେଞ୍ଚଣା ବାଡ଼ିରେ
ଦୁସ୍ଥର ଖେଳନା କ୍ରୀଡ଼ା,
ପିଣ୍ଡରୁ ପରାଣ କରିଲେ ଗମନ
ଛଅ ଖଣ୍ଡ ହେଉ ଲୋଡ଼ା ।