ବାତାୟନ
ବାତାୟନ
ବାତାୟନ ଦେଇ ଆସିଯାଅ ଯେବେ
ଛୁଇଁଯାଅ କବରୀକୁ
ଶିହରଣ ଖେଳେ ଶିରାପ୍ରଶିରାରେ
ବୁଝାଇ ପାରେନା ମନକୁ।
ଚଗଲା ସମୀର କହିଯାଏ କାନେ
ପ୍ରୀତିଭରା ସମ୍ଭାଷଣେ
ଗୁଣୁଗୁଣୁ ହୋଇ ଗାଉଛି ଭ୍ରମର
ଫୁଲ ରୁଷେ ଅଭିମାନେ।
ଝରକା ବାହାରେ ସବୁଜ ବନାନୀ
ଜୋସ୍ନା ମନଲୋଭା ହସ
ନିଶିର ପରଶେ ହସୁଛି ଧରଣୀ
ଝରା ଶେଫାଳିର ବାସ।
ପତ୍ର ଆଢୁଆଳେ ବିହଗ ନୀଡରେ
ଚକୋରଚକୋରୀ ଦୁହେଁ
ସପନର ଜାଲ ବୁଣୁଛନ୍ତି ପରା
ହଜିବାକୁ ମନଚାହେଁ।
ସରସୀର ଜଳ ହୋଇ ନିରିମଳ
କଇଁକୁ କରେ ସୁନ୍ଦର
ପ୍ରିୟତମ ଶଶି ମେଲାଇଣ କର
ଆଲିଙ୍ଗନ କରେ କର।
ଖ୍ଯଦୋତର ଗଣ ନାଶିବାକୁ ନିଶି
କରନ୍ତି ଉଦ୍ଯମ ଯେତେ
ଛୋଟ ହେଲେ ବୋଲି ନାହିଁ ମନେ ଖେଦ
କର୍ମେ ଥା'ନ୍ତି ଅବିରତ।
ଜହ୍ନଟା ହସୁଛି ଖତେଇ ହେଉଛି
ଦେଖି ବନ୍ଦୀ ପଣ ମୋର
ଝରକା ଭିତରେ ସଙ୍କୁଚିତ ପ୍ରାୟ
ଉହୁଙ୍କି ଦେଖୁଛି ତାର।
ଵିସ୍ତିର୍ଣ୍ଣ ଆକାଶେ ନିଶି ଆସ୍ତରଣେ
ହସୁଛି ସେ ଶୁଭ୍ରଜ୍ଯୋତି
ପାରୁନାହିଁ ବାନ୍ଧି କରକୁ ତାହାର
ସ୍ବାଧୀନ ପରାଏ ମୋତି।
