ବାପାଙ୍କର ସାଇକେଲ
ବାପାଙ୍କର ସାଇକେଲ
କେତେ ଖରା ବର୍ଷା ଶୀତ କାକର ସହି
ବାପାଙ୍କର ପୁରୁଣା ସାଇକେଲଟି ବାଡିପଟ
ଓଳିତଳେ ସେମିତି ପଡିଛି ଯେ ପଡିଛି
ବାପାଙ୍କୁ ଯଉତୁକରେ ମିଳିଥିଲା ସେତେବେଳେ
ଆଟଲାସ ସାଇକେଲ ସାଥେ ମରଫ ରେଡିଓଟିଏ
ବୋଉ ସବୁବେଳେ କହୁଥିବାର ଶୁଣିଛି ।
ବାପା ଏଇ ସାଇକେଲରେ ବୁଲିଆସିଥିଲେ
କଲିକତା ଭଳି କେତେ କେତେ ସହର
ଅର୍ଖା ନୂଆ ଭଳି ଦିଶୁଥିଲା ସବୁବେଳେ
ତେଲ ଦେଇ ପୋଛା ପୋଛି କରି
ଯତନେ ସାଇତି ରଖିଥିଲେ ତାକୁ
ବୁଲେଟ ଗାଡିଠୁ ଆହୁରି ଥିଲା ଦାମିକା
ତାଙ୍କର ଏହି ଭଙ୍ଗା ଶୂନ ଗାଡିଟି ।
ରାସ୍ତାରେ ଚକ ଥରେ ଗଡିଲେ
ଲୋକେ କହୁଥିଲେ ଦେଖ ଦେଖ
ସାମଲ ବାବୁ ଚଢୁଛନ୍ତି ଆଟଲାସ ସାଇକେଲ
ପ୍ରତିପତ୍ତି ଖାନଦାନୀରେ ଲାଗିଯାଏ
ଏକ ରଂଗ।
ପିଲାଦିନେ ସାଇକେଲ ଆଗ ପଛରେ ବସି ଆମେ ଭାଇଭଉଣୀ ମଜାରେ
ବୁଲିଛି କେତେ ଯାନି ଯାତରା
ବଡ ହେଲାପରେ ବି ବାପା ଚଢନ୍ତିନି ବାଇକ
କୁହନ୍ତି ଏ ଶୁନ ଗାଡି ମୋ ଜୀବନ
ତାକୁ କେବେ ବି ପାରିବିନି ଛାଡି
ବିନା ତେଲ ବିନା ଦୁର୍ଘଟଣାରେ
ପରିବେଶ ସୁସ୍ଥ ରଖି ଦିଏ ଆମକୁ
ସୁସ୍ଥ ଶରୀର ହଟାଇ ଅଳସୁଆମୀ ପଣକୁ ।
ବାହାରୁ ବାପାଙ୍କ ସାଇକେଲ ଘଣ୍ଟି ଶୁଣି
ଆମେ ଚୁପଚାପ ସୁନା ପିଲା ପରି
ବହିଧରି ବସିପଡୁ ପାଠ ପଢିବା ବାହାନାରେ
ବାପା ଜାଣିଶୁଣି ଆସିଲା ବେଳେ
ବଜାଇଥାନ୍ତି ଘଣ୍ଟି ଯାହା ମୋ ବୋଉକୁ
ଭାରି ଭଲ ଲାଗେ କାହିଁକି କେଜାଣି ।
ବାପା ନାହାଁନ୍ତି ଆଜି ସତ
ସାଇକେଲ ଓଳିତଳେ ଦଦରା ହେଉଛି
ମରଫୋ ରେଡିଓଟି ଘରର କେଉଁ କୋଣରେ ପଡିଛି ଭାଙ୍ଗି ଅଳନ୍ଦୁ ଲାଗି
ବୋଉ କେବେ ବିକାଇ ଦେଇନି କବାଡିଆକୁ ଏସବୁ
କୁହେ ମୁଁ ଗଲାପରେ ତୁମେ ଯାହା କରିବ
ମୋତେ ଲାଗେ ଯେମିତି ବୋଉ
ଏ ବାପାଙ୍କ ସାଇକେଲକୁ ଦେଖି ଦେଖି
ବୋଧେ ଆଜିଯାଏଁ ତାଙ୍କୁ ନ ଭୁଲିପାରି ବଞ୍ଚିଛି ।
