ବାପା
ବାପା
ମାଆ ପାଇଁ ସାହିତ୍ୟରେ
ଥାଏ କେତେ ସ୍ଥାନ,
କ୍ଵଚିତ ହୁଅଇ ଲେଖା
ବାପ ଅବଦାନ ।
ସଂସାରର ବୋଝ ବୋହି
ମେରୁଦଣ୍ଡ ବଙ୍କା,
ମୁଣ୍ଡ ଝାଳ ତୁଣ୍ଡେ ମାରି
ଅରଜଇ ଟଙ୍କା ।
ଉପରକୁ ହସ ହସ
ଭିତରେ ସେ କାନ୍ଦେ,
ହାଡୁଆ ହାତରେ କଷି
ସମ୍ପର୍କକୁ ବାନ୍ଧେ ।
ଦଶ ମାସ ଦଶ ଦିନ
ଦେଖେ ସେ ସପନ,
କୋଳେ ନେଇ କାଖ କରି
ଖୁସି ହୁଏ ମନ ।
ଆଣ୍ଠୁ ମାଡ଼ି ଘୋଡ଼ା ହୁଏ
ପିଠିରେ ତା ପିଲା,
ଦରଜ ଲାଗଇ ମିଠା
ହସେ ମନ ଖୋଲା ।
ପାଦରେ ତା ଠିଆ କରି
ଚାଲିବା ଶିଖାଏ,
କାନ୍ଧେ ବୋହି ନେଇ ପୁଣି
ଯାତରା ଦେଖାଏ ।
ପିଲା ସଫଳତା ଦେଖି
ଛାତି କୁଣ୍ଢେମୋଟ,
ବିଫଳ ହୋଇଲେ ଛୁଆ
ମନ ଛଟପଟ ।
ପିଲା ବଡ଼ ହେଲେ କେବେ
ବୁଝେନି ବାପକୁ,
ଛୋଟ କଥା ନେଇ କାଟେ
ସମ୍ପର୍କ ଡୋରୀକୁ ।
ବୁଝିଥାନ୍ତା ଯଦି ପୁଅ
ବାପର ମରମ,
ଲୋଡା ପଡନ୍ତାନି କେବେ
ଅନାଥ ଆଶ୍ରମ ।
