ବାପା ବୋଉ,ମୁଁ
ବାପା ବୋଉ,ମୁଁ
ବାପା !
ତୁମେ
ଅବିକଳ୍ପ ବ୍ୟକ୍ତିତ୍ୱ
ତୁମେ ନିଳାର୍ଣ୍ଣାଭ
ଅନନ୍ତ ଆକାଶ
ଭୂଖଣ୍ଡର ଅସମାପ୍ତ ପରିଧି,
ଜୀବନ ଗୋଲକରେ
ଅଦୃଶ୍ୟ ବିନ୍ଦୁଟିଏ ।
ସୀମାହୀନ ଦରିଆର
ପରିବ୍ୟାପ୍ତ ଅଖଣ୍ଡ ଓ
ଅବିରତ ସ୍ରୋତ ।
ମୋ'ନିଜର
ବଳିଷ୍ଠ ଭିତ୍ତି ପ୍ରସ୍ତର
ମୋ'ଦମ୍ଭ ପାଇଁ ବୈଦିକ ବଜ୍ରବାହୁ !
ବୋଉ !
ତୁ ଲୋ ,
ମୋ' ଜୀବନ ଭୂଗୋଳର
ଗୁପ୍ତ ସୁପ୍ତ ଜୀବନ୍ତ ପୃଷ୍ଠାଟିଏ
ନ ଥାଇ ବି ରହିଛୁ
ଏବେ ବି ହସୁଛୁ
ଦୂରେ ଥାଇ ତୋ'ପଣତରେ
ମୋତେ ଲୁଚାଇ ରଖୁଛୁ
ଅମା ଅନ୍ଧକାରର ଜଘନ୍ୟତାରୁ ।
ବାରମ୍ବାର ଉଙ୍କି ମାରୁଛୁ,
ମୋ'ହୃଦୟରେ,
ମୋ' କଳ୍ପନାରେ
ଆଉ ମୋର କବିତାର
ପୃଷ୍ଠାରେ ପୃଷ୍ଠାରେ
ମୋ' କଳ୍ପନାର
ରେଣୁରେ ରେଣୁରେ !
ମୁଁ...
ତୋ' ଅଙ୍କରେ,ଲୋ ବୋଉ !
ତୋ'ଆଖି କୋଣର ଅଶ୍ରୁରେ
ଧୁଳିରେଣୁ ତୋ'ପଦଚିହ୍ନରେ
ତୋ' ମମତାର ଡୋରୀକୁ
ଧରି ଅନେଇ ରହିଛି
କେତେବେଳେ ତୁ ଦେବୁ
ମୋ'ବାଆଁ କପାଳରେ
ଛୋଟ କଜଳ ଟୀକା ଟିଏ
ଆଉ,ସେଇ ମୁଁ
ଅପେକ୍ଷା କରି ରହିଛି,
ତୁମ ସେଇ ଅଭୟ ସଂକେତକୁ
ବାପା ବୋଲି ଡାକି ଦେଉଥିଲେ
ପାଉଥିଲି ମୋକ୍ଷ,
ମିଳୁଥିଲା ଭବ୍ୟ ବରଦାନ ।
ହେ ଈଶ୍ୱର !
ଏମିତି ହୁଅନ୍ତା କି
ଆଉ ଥରେ
ଆଉ ଏକ ଜନ୍ମରେ
ତୁମରି ସର୍ଜନାରୁ
ଆମେ ପୁଣିଥରେ
ସାଙ୍ଗରେ ରୁହନ୍ତୁ
ବାପା, ବୋଉ ଆଉ ମୁଁ !
