ବାହୁଡା ବିଜେ
ବାହୁଡା ବିଜେ
ଏଇ ଦେଖ
ସେ କେମିତି ନାଚି ନାଚି
ଓହ୍ଲାଇଦେଲା
ଗୋଟେ ତରୁଣବେଳ
କେହି କ'ଣ ବଜୋଉଥିଲା ବଂଶୀ
ନା ତାଳ ତୋଳୁଥିଲା ମୃଦଂଗରେ
ସେ ନିଜେ ବଂଶୀ, ନିଜେ ମୃଦଂଗ
ନିଜେ ଦାସୀ ନିଜେ ଦେବତା
କେହି ନଥିବା ଘରକୁ
କେତେ ଲାଜ ଲାଜ ତା'ର ପ୍ରବେଶ
କେତେ କୁଣ୍ଠା ତା' ଫେରନ୍ତି ପାଦରେ.....!
ଏବେ ଲାଜ ନାହିଁ କି କୁଣ୍ଠା ନାହିଁ
ଗୋଟେ ଅପଲକ ଆଖି ଆକାଶରେ
ଅଦ୍ଭୁତ ନୀଳରଙ୍ଗ
ମାଟି ମୁଠାକରେ ଚନ୍ଦନ,କସ୍ତୁରୀ
ତୁଳସୀ,ଦୟଣାର ଗନ୍ଧ
ପବନ ଦେହରେ ମୁଗ୍ମ ମୁରଲୀର ଲଳିତ ରାଗ
ବର୍ଷା ଛିଟାରେ ଉତ୍ତାଳ ଯମୁନାର ଢେଉ
ସେ ଢେଉ କାଟି ପହଁରି ଯାଉଛି ତ
ପବନରେ ଝାଡୁଛି ଉଡନ୍ତା ଡେଣା
ବୋଳିହେଉଛି ନୀଳରଙ୍ଗ
ତଥାପି ଉଦାସ
ପଚାରିଲେ କହୁଛି, ......
ତମେ ଦାରୁ ହୁଅ ଚିରକାଳ
ମତେ ଘୁଙ୍ଗୁର ଡାକୁଛି
ପବନର ବଂଶୀସ୍ଵର ଭେଦି
ମତେ କାହିଁ ଅଥୟ କରୁଛି
ଲିଭାଇ ଦିଅ ନୀଳରଙ୍ଗ
ଚତୁର୍ଥ ପ୍ରହର ରାତି
ପହୁଡ ଭାଙ୍ଗୁଛି
ମତେ ଘୁଙ୍ଗୁର ଡାକୁଛି.......
*********