STORYMIRROR

Biswanath Nayak

Others

4  

Biswanath Nayak

Others

ବାଦଲ

ବାଦଲ

1 min
61


ପ୍ରତୀଚୀ ଗଗନେ

ବାଦଲ ଉହାଡେ

ସୂରୁଜ ରୋଷଣୀ ଜାଳେ,

ନଭ ବକ୍ଷଦେଶ

କରି ଉଦ୍ଭାସିତ

ଖେଳେ ଦିଗାଙ୍ଗନା କୋଳେ। 


ଅପରୂପା ସେହି

ସରଗ ସୁଷମା

ପିଇବାକୁ ମନ ଭରି,

ମନ ମୋର ଚାହେଁ

ଉଡ଼ି ମୁଁ ଯାଆନ୍ତି

ବାଦଲର ବୁକୁ ଚିରି। 


କଳା ମେଘ କୋଳେ

ଝଲସି ଉଠୁଛି

ସତେ ହୀରା ନୀଳା ମୋତି,

ସାଉଁଟିବା ପାଇଁ

ଆଞ୍ଜୁଳା ଆଞ୍ଜୁଳା

ଆନ୍ଦୋଳିତ ହୁଏ ମତି। 


ଦିଗାଙ୍ଗନା ତା'ର

ପଣତ କାନିରେ

ତୋଳୁଛି ସେ ହୀରା ମୋତି,

ସଞ୍ଜ ନଇଁଗଲେ

ମିଳିବନି ବୋଲି

ମନେ ଅବା କରେ ଭୀତି। 


ପାଇଲେ ସେ ମୋତି

ରଖନ୍ତି ସାଇତି

ହୃଦୟ- ସିନ୍ଦୁକେ ଭରି,

ଲାଗନ୍ତାନି ଆଉ

ଦରିଦ୍ର ସମ୍ପଦ

ଲଭି ହରାଇଲା ପରି। 


ହେ କଳା ବାରିଦ !

ହୁଅନା ନିଷ୍ଠୁର

ଲୁଚାଅନା ସେହି ଶୋଭା,

ପ୍ରକୃତି ରାଣୀର

ଚାରୁ ଅଳଙ୍କାର

ଆହା ! କେଡ଼େ ମନଲୋଭା। 


ବାଦଲ ଉହାଡେ

ଲୁଚି ଯାଉଥିଲା

ସେହି ଦିନକର ଆଭା,

ଅଜ୍ଞାନ ଉହାଡେ

ଲୁଚିଯାଏ ଯେହ୍ନେ

ପରଂବ୍ରହ୍ମ ଜ୍ୟୋତି ପ୍ରଭା। 


ହଟିଯାଆ କ୍ଷଣେ

ରେ କଳା ବାରିଦ !

ପ୍ରକାଶୁ ସେ ବର୍ଣ୍ଣବିଭା,

ଅଜ୍ଞାନ ହଟିଲେ

ପ୍ରାଣୀ ହୃଦେ ଯେହ୍ନେ

ପ୍ରକାଶଇ ବ୍ରହ୍ମ ପ୍ରଭା। 



Rate this content
Log in