ଅତୁଟ ସମ୍ପର୍କ
ଅତୁଟ ସମ୍ପର୍କ
ସମ୍ପର୍କ ଡାଳରେ ବସା ବାନ୍ଧିଥାନ୍ତି
ପତି ପତ୍ନୀ ଯେବେ ଦୁହେଁ
ସାତ ଜନମର ଅତୁଟ ସମ୍ପର୍କ
ଶଙ୍ଖା ସିନ୍ଦୂରରେ ଶୋହେ ।।
ମନୋମାଳିନ୍ୟର ଝଡଵତାସ ଯେ
କେବେ ବସା ଦୋହଲାଏ
ଈଶ୍ୱରଙ୍କ କୃପା ଭାରି ମପା ଚୁପା
ଭାଙ୍ଗୁ ଭାଙ୍ଗୁ ଯୋଡ଼ି ହୁଏ ।।
ଛୋଟ କଥା ନେଇ ମାନ ଅଭିମାନ
ଅହରହ ଲାଗିଥାଏ
ସମୟ ଚକ୍ରରେ ସବୁ ଅସନ୍ତୋଷେ
ପୂର୍ଣ୍ଣଚ୍ଛେଦ ପଡ଼ିଯାଏ ।।
ମାନବ , ଦାନବ , ତନ୍ତ୍ର , ମନ୍ତ୍ର ଶକ୍ତି
କିଛି କାଟୁ କରେନାହିଁ
ସମ୍ପର୍କର ଘନିଷ୍ଠତା ଏତେ ଦୃଢ଼
କଦାପି ସେ ତୁଟେନାହିଁ ।।
ରାଣ ଖାଇ ଯଦି କରିନେବା ପଣ
ଜଣଙ୍କ ପାଇଁ ତ ଜଣେ
ସୁଖେ ଦୁଃଖେ ସଦା ପାଶେ ରହିଥିବା
ଜୀବନର ମହାରଣେ ।।
ଏଇ ଯେ ପବିତ୍ର ବନ୍ଧନର ବୃକ୍ଷ
ସଦା ପଲ୍ଲଵିତ ରହେ
ଖୁସି ଆନନ୍ଦରେ ପୂର୍ଣ୍ଣ ପ୍ରସ୍ଫୁଟିତ
ବାସ ଚହଟାଇ ଦିଏ ।।
ଏକାଠି ଜୀଇଁବା ଏକାଠି ମରିବା
ସାଥି ହୋଇ ରହିଥିବା
ହସିଲା ପୂରିଲା ସଂସାରରେ ଆମେ
ସୁଖ ସ୍ରୋତେ ଭାସୁଥିଵା ।।