ଅତର
ଅତର
ମୁଁ ଏବେ ଖୁବ୍ ଅଜଣା ମଣିଷଟିଏ, ମୋ ଗାଁରେ,
ଶୁଣିଛି କେହି କେହି କହିବା ତାଚ୍ଛଲ୍ୟରେ
ସହରୀ ଅତର ବୋଳା ମୋ ଦେହରେ
ଭିଜାମାଟିର ଗନ୍ଧ ନାହିଁ
ମୁଁ ବି ଅନୁଭବ କରିଛି
ମନଟି ମୋର ହୁଏତ ବଦଳିଯାଇଛି ଇୟା ଭିତରେ
ମୁଁ ଖୋଜୁନି ଆଉ ମୋ ଗାଁ,
ନଈପଠା, କାଶତଣ୍ଡି ବଣ, ଆମ୍ବତୋଟା,
ଗାଁ ମୁଣ୍ଡ ବରଗଛ କି
ତା’ ମୂଳରେ ମୌନରେ ବସିଥିବା ଆମ ଈଷ୍ଟଦେବୀଙ୍କୁ
ମୋ ପାଇଁ ତ ଗୋବର ଲିପା ମାଟିଘରଟି
ଏବେ ଜୀବାଣୁ ଯୁକ୍ତ,
ନଇଁ ପଡି ସାଷ୍ଟାଙ୍ଗ ପ୍ରଣାମ ତ ଏକ ପୁରୁଣା ମିଜାଜ୍
ସାଙ୍ଗ ମେଳରେ ଘର ପିଣ୍ଡାରେ ବାଘଛେଳିର ଖେଳ,
ବରଗଛ ଓହଳରେ ଦୋଳି,
ମନ୍ଦିର ବେଢାରେ କବାଡି ଖେଳ, ଏ ସବୁ ତ ଅଯଥା |
ମୁଁ ତିଆରି ସାରିଛି ମୋ ପାଇଁ
ଏ ସବୁର କେତେ କେତେ ନୂଆ ନୂଆ ସଂଜ୍ଞା
ମୋର ଏ ନବକଳେବର ପାଇଁ
ମୁଁ ଭୁଲି ସାରିଛି ପ୍ରାର୍ଥନାର ଢଙ୍ଗରଙ୍ଗ,
ମୋ ପିଲା ଜାଣିନାହାନ୍ତି ମଣ୍ଡା, କାକରା କି ଗଇଁଠା ପିଠା,
ମୁଁ ଏବେ ଭଲ ପାଏ କାଟିବାକୁ ମୋର ବଳକା ସମୟ
ସୁସଜ୍ଜିତ, ସୁରମ୍ୟ ଭୋଜନାଳୟରେ, ମିଞ୍ଜିମିଞ୍ଜି ଆଲୁଅ ଭିତରେ,
ଅନୂଢା ଏକ ପରକୀୟା ପରିବେଶରେ
ସତେତ ମୁଁ ଏବେ ଗଧୋଇ ସାରିଛି ବାସ୍ନାଭରା
କିଛି ସହରୀ ଅତରରେ
ଭିଜାମାଟିର ଗନ୍ଧ ବା ଆସିବ କୁଆଡୁ
ମୋ ଦେହରେ??