STORYMIRROR

Smruti Ranjan Tripathy

Others

2  

Smruti Ranjan Tripathy

Others

ଅତିଥି

ଅତିଥି

1 min
13.5K




ସେଇ ଅନୁରାଗ'ର ଚିଟାଉ ଏବେ ବି ମନର କେଉଁ ନିଭୃତ କୋଣରେ ସଂରକ୍ଷିତ

ସେଥିପାଇଁ ତ ରଚିଦେଲି ଉଦିତ ଜହ୍ନ, ଅସ୍ତଗାମୀ ସୂର୍ଯ୍ୟର ବର୍ତ୍ତୁଳ ପରିଧିଟିଏ

ଅଲକ୍ଷ୍ୟରେ ସାଜିଲି ଅନିମନ୍ତ୍ରିତ "ଅତିଥି" ତୁମ ଫୁଲ ଅଗଣାରେ.

ମୋତେ ଶଙ୍ଖୁଳେଇଲେ ଆଷାଢର ପହିଲି ବର୍ଷାରାତି, ଶ୍ରାବଣର ବାରିଧାରା

ତୁଳସୀ ଗଛ ଛାଇରେ ଘାସଫୁଲ ବଢ଼ିଲା ସମ ତୁମ କାୟଙ୍କୁ ଓଢଣା କରି

ମୁଁ ବି ବିସ୍ତୃତ ହେଲି ନିର୍ଜନ ରାତିର ଶେଷ ପ୍ରହର ଯାଏଁ....

ପରଶିଦେଲ ମୋତେ ଚିକମିକ ତାରାଫୁଲ, ଅମାନିଆ ଆଖିରେ କୃଷ୍ଣଚୂଡ଼ାର ଛବି

ଛାୟାପଥ ପରି ଘୁରି ବୁଲିଲି ତୁମ ସନ୍ଦିଗ୍ଧ ବଳୟରେ ବହୁ ଅସମାହିତ ପ୍ରଶ୍ନ ହୋଇ...


ବୋଧେ ଠଉରେଇଦେଲ ମୋ ସ୍ୱଳ୍ପାୟୁଷ, ଜାବୁଡି ଧରିଲ ଚହଟୁଥିବା ରାତିର ଗୁମସୁମ ଅନ୍ଧାରକୁ

ମୁଁ ଥିଲି ଫିକା ପଡି ଆସୁଥିବା ଭୋର ଆକାଶର କୁଆଁତାରାଟିଏ

ଦେଖୁଥିଲି ଜୀବନ ଆକାଶରେ ଆଉ ଗୋଟେ ଜହ୍ନ, ଭିନ୍ନ ଏକ ସପନ

ହାତ ପାହାନ୍ତାରୁ ଧୀରେ ଧୀରେ ଅଦୃଶ୍ୟ ହେଲା ବେଳେ ତୁମେ ଖୋଜୁଥିଲ "ଅତିଥି"ର ସଂଜ୍ଞା

ଅପୂର୍ଣ୍ଣତା, ଅପ୍ରାପ୍ତି, ଅବଶୋଷରେ....


ସବୁ କିଛି ନିଃଶେଷ ହୋଇଯିବା ଆଗରୁ ଢାଳିଦେଲି ସ୍ମୃତିର ମୁଠା ମୁଠା ଶାମୁକା, ମହଣ ମହଣ ଏଶ୍ୱର୍ଯ୍ୟ

ଭରିଦେଲି ତୁମ ଶୁନ୍ୟ ଆଞ୍ଜୁଳାରେ ମିଠା ମିଠା ଅପବାଦର ସ୍ୱର

ଜୀବନର ଅଗ୍ନି ପରୀକ୍ଷା ସର୍ବଦା ସନ୍ଦିହାନ, କେବେ କେଉଁଠି ଉତ୍ତୀର୍ଣ୍ଣ ହୁଏ

ତୁମେ ବି ତ କେଉଁକାଳୁ ଅଭିମନ୍ତ୍ରିତ ଲିଭିଲିଭି ଜଳିବାର କୌଶଳରେ

ଜାଣ! ସବୁ ପରୀକ୍ଷାର ଅନ୍ତ ପରେ କୋକେଇ ର ମାୟାଜାଲରେ ଅପବାଦ ପ୍ରତିବାଦ ସବୁ

ମତୁଆଲା ହୁଅନ୍ତି ଲୁହ ଆଉ ପାଉଁଶରେ ....


ମୋତେ ପୁଣି ପାଇବ ତୁମେ କାକରଭିଜା ଘାସ ଗାଲିଚାରେ, ରଜନୀଗନ୍ଧାର ପାଉଁଜି ଶବ୍ଦରେ

ଧରଣୀ ରାଣୀର ଶାଗୁଆ ଶାଢ଼ୀ ଭିତରେ ନିଜକୁ ଲୁଚାଇଦେଇ

ତୁମେ ବି ଗୁଣୁଗୁଣୁ ହେଉଥିବ, ଆସନ୍ତନି ଆଉଥରେ ମୋ "ଅତିଥି" ହୋଇ.....


Rate this content
Log in