ଅତୀତ
ଅତୀତ
ସ୍ମୃତି ଛଡ଼ାଅନା ବସି କାତି
ବର୍ଷା ଭିଜା ସେଇ କାଗଜ ଡଙ୍ଗାରେ
ଭରିଥିଲି ଯେଉଁ ପ୍ରୀତି ।
ମେଘ ସବାରୀରେ ଯେତେବେଳେ ଚଢୁ
ଝରି ଝରି ପଡୁ ଖସି
କେତେ ଵହିଯାଏ କେତେ ଭେଦିଯାଏ
ରଖି କେ ପାରେ ସାଇତି
ସ୍ମୃତି ଛଡ଼ାଅନା ବସି କାତି ।
ଶୀତୁଆ ସକାଳ କଅଁଳ ଖରା ତୁ
ଅତୀତକୁ ଦେଉ ତାତି
ହଜିଲା ଗରଳ ପିଇବା ପାଇଁ କି
ଶ୍ରାବଣକୁ କରୁ ରତି
ସ୍ମୃତି ଛଡ଼ାଅନା ବସି କାତି ।
କୀର୍ତ୍ତି ପରିସ୍ଥିତି ବୟସ ଭେଦରେ
ଅମାନିଆ ତୋର ଛାତି
ବିଜନବେଳାର ମାନସପଟ୍ଟରେ
ଉଙ୍କିମାରି ଲଭୁ ତୃପ୍ତି
ସ୍ମୃତି ଛଡ଼ାଅନା ବସି କାତି ।
ଗହଳ ଦୁଃଖରେ ଦୁଃସ୍ଥ ଜୀବନକୁ
ବଞ୍ଚାଇ ରଖିଛୁ ସ୍ଥିତି
ବିକଳ ପ୍ରାଣର ମୃତ୍ୟୁସଞ୍ଜିଵନୀ
ଅଦିନିଆ ଜହ୍ନ ରାତି
ସ୍ମୃତି ଛଡ଼ାଅନା ବସି କାତି ।
କବଳିତ ଚିତ୍ତ ତୋର ହୃଦଗତ
ବିନୁ କାହିଁ କା'ର ପରିଚିତି
ବୃତ୍ତି କୃତି ମୁକ୍ତି ଶାନ୍ତିର ଛନ୍ଦରେ
ସଞ୍ଜ କାଳିମାରୁ ଦିବ୍ୟତେଜ ଅନୁଭୂତି
ସ୍ମୃତି ଛଡ଼ାଅନା ବସି କାତି ।