ଅତୀତ କି ଫେରେ
ଅତୀତ କି ଫେରେ
ଅତୀତ କ'ଣ
କେବେ ଫେରେ
ନା ତା'କୁ କିଏ
ଧରିପାରେ ।
ଯାହାକୁ ପାଇବାର
ତିଳେମାତ୍ର ସମ୍ଭାବନା ନଥାଏ ।
କାହିଁକି କେଜାଣି
ଏ ମନ ତାକୁ
ଵେଶୀ ଵେଶୀ ଝୁରେ
ତା ' ପାଇଁ ନିତି ନିତି ମରେ ।
ଅତୀତ କେବଳ ଲୁହ
ଦେଇପାରେ
କଦଵା କେତେବେଳେ
ଚେନାଏ କୁଣ୍ଠିତ ହସ ।
ସେ କେବଳ ନିର୍ଜୀବ
ସ୍ମୃତିଟେ ପାଲଟି ପଡିରହେ
ହୃଦୟର ଭଙ୍ଗା ସିନ୍ଦୁକରେ ।
ବିଳାପୁଥାଏ ଅବା
କେଉଁ ଏକ କରୁଣ
ରାଗିଣୀର ସ୍ଵର ତୋଳୁଥାଏ
ନୀରବେ ନିଃଶବ୍ଦେ ।
ହଁ ହଁ ବୋଧେ
ଏମିତି ବି ହେଇପାରେ
ଅତୀତଟା ରହିଯାଏ
ଅଣଲେଉଟା ଏକ
ନଷ୍ଟ ଇତିହାସ ପୃଷ୍ଠାରେ
ଅଵା
ପାଣ୍ଡୁଲିପିର ଦଗ୍ଧ
ଉପତ୍ୟକାରେ ।
ପୁନର୍ମିଳନର ପ୍ରତୀକ୍ଷାରେ
ଜନ୍ମ ଜନ୍ମ ପଡିରହେ
ଏ ମନ ସିନା
ଦିନେ ଅଟକିଯାଏ
ଧକ୍ ଧକ୍ କରୁଥିବା
ସ୍ପନ୍ଦନ ଅଵା
ସମାଧି ପାଲଟିଯାଏ
ସଂପୂର୍ଣ୍ଣ ଜୀବନ
ହେଲେ ଅସମ୍ଭବ ।
ସେ ଅଫେରା ଅତୀତକୁ
ଆଉଥରେ କରିବା
ପ୍ରୀତିଭରା ଆବାହନ
ଶୁଣିଛ କି କେହି କେବେ
ଶ୍ୟାମଘନ ପୁନର୍ବାର
ଫେରିବାର ବୃନ୍ଦାବନ
ନା ଶୁଣିଛ କେଵେ
ତାଙ୍କ ମୋହନ ବଂଶୀର ସ୍ଵନ ।
ଝୁରିଛି ଯମୁନା
ଝୁରିଛି କଦମ୍ବ
ଝୁରିଛି ଵି ପ୍ରେମମୟୀ ରାଧା
ମଥା ପିଟିଛି
ଅଶ୍ରୁ ନିଗାଡିଛି ।
ଵିରହ ଅଗ୍ନିରେ
ପୋଡିଯାଇଛି
ତା' ମନ ମଧୁବନ
ଝାଉଁଳି ନିସ୍ତେଜ ହୋଇଛି
ତା' ହୃଦୟର କୁଞ୍ଜଵନ
ଅହରହ ଖୋଜିଛି
ତା' ଅଭୁଲା ଅତୀତ
ସେ ସ୍ଵପ୍ନଭରା ମୂହୁର୍ତ୍ତ ।
ହେଲେ ଆଉ ଫେରିନାହାନ୍ତି ତା'
ନୀଳପ୍ରେମିକ
ସେ ଯୁଗ ଅବତାର
ଦ୍ଵରିକାନାଥ ।