ଅତୀତ କି କେବେ ଫେରେ
ଅତୀତ କି କେବେ ଫେରେ
ଅତୀତ ଟା ପୁଣି ଫେରେନାହିଁ କେବେ
ସ୍ମୃତି ହୋଇ ରହେ ସିନା
ଭାବନାରେ ଆସି ହସାଏ କନ୍ଦାଏ
କରିଦିଏ ଆନମନା ll
ମୋ ପିଲାଦିନର ଅଭୁଲା ଅତୀତ
ଜମା ଭୁଲି ପାରୁନାହିଁ
ସଂସାର ଜାଲରେ ଛନ୍ଦି ହୋଇଗଲି
ବାପଘରୁ ବିଦାହୋଇ ll
ଖୋଜୁଛି ଆଜି ମୁଁ ଜେଜେମାଆ କୋଳୁ
ଦୂର ଆକାଶର ଜହ୍ନ
ମନେପଡେ ବୋଉ ଖୋଇଦେଉଥିଲା
କରି ମତେ ମାଆ ଧନ ll
ଜିଦିକଲେ ବାବା କାଗଜରେ କେତେ
ଡ଼ଙ୍ଗା କରିଦେଉଥିଲେ
ଗୋଟି ଗୋଟି କରି ଭସାଉଥିଲି ମୁଁ
ପାଣିଧାରେ ବର୍ଷା ହେଲେ ll
ଜେଜେପିଉଥିବା ନାଲି ଚା ପାଇଁ କି
କେତେ ବାହାନା ମୁଁ କରେ
ଲୁଚେଇକି ମତେ ଦିଅନ୍ତି ମୋ ଜେଜେ
ବୋଉ ଗlଳିଦେବା ଡରେ ll
ମୋ ଇଚ୍ଛାରେ ମୁଁ ଲାଣ୍ଡି ହେଉଥିଲି
ଭଣ୍ଡାରୀ ପାଖକୁ ଯାଇ
ଭାରି ସଜ ହୁଏ ମୁଣ୍ଡ ଧୋଇବାଟା
ବୋଉ ଜାଣିପାରେ ନାହିଁ ll
ନଡ଼ିଆ ପତର ଡୁଙ୍ଗୁଥିଲି ବସି
ଚୁଲିରେ ବୋଉ ସାଙ୍ଗରେ
ଶିଳରେ ସୋରିଷ ବାଟିଲେ ମୋ ବୋଉ
ଝୁଲିଛି ତାର କାନ୍ଧରେ ll
ଯେତେ ଡ୍ରେସ ଥିଲେ ମାମୁଁଘର ଡ୍ରେସ
ଏତେ ଭଲ ଲାଗେ କାଇଁ
ଆଜିବି ରଖିଛି ସେହି ଫ୍ରକ ମୋର
ଆଣିଥିଲେ ମୋ ମାଇଁ ll
ଭୁଲିପାରିବିନି ଖରାଛୁଟି ହେଲେ
ଅଜାଘର ଗାଁ ବୁଲା
ଗାଁ ମିଟିଂ ରେ ମାମୁଁ ସଭାପତି
ଭାରି ଭଲ ଲାଗୁଥିଲା ll
ପିଲାରୁ ଆଜି ମୁଁ ବଡ଼ ହୋଇଗଲି
ବାହା ହୋଇଯିବା ପରେ
ଶାଶୁଘରେ ମୋର କର୍ତ୍ତବ୍ୟ ତୁଲାଇ
ଅତୀତକୁ ଖାଲି ଝୁରେ ll
