"ଅସୂୟା"
"ଅସୂୟା"
"ଅସୂୟା"
ଅବଶ ଶରୀର, କ୍ଳାନ୍ତ ମୁହଁ, ନା ସତେଜତା ନା ଆକର୍ଷଣ
ଓଃ ତା'କୁ ହିଁ " ଅସୂୟା" ର ଆଖ୍ୟା ଦେଇଛ ??
ଜୀବନ କଳସକୁ ଭରି ରଖିବାରେ ସେ ତା ସଵା ଆଗରେ
ଦି'ଖଣ୍ଡ ହାଡ଼ରେ ପୁଳାଏ ମାଉଁସ କୁ ସଳଖେଇବାରେ ସେ ବ୍ୟଗ୍ର
ପ୍ରସ୍ତରକୁ ଭଗବାନ ଭାବି ପାପରେ ଭାଗୀ ହୋଇଛି ବୋଲି ତ
କେବେ କଣ୍ଟା ସାଲୁବାଲୁଁ କେବେ ଡହଡହ ନିଆଁରେ ବାଟ ତିଆରୁଛି
ନିଜେ ଭୋକିଲା ରହି ଆଉ କାହା ଭୋକର ଶୀକାର ହେବାକୁ ସାଲିସ କରିଛି
ଏନ୍ତୁଡ଼ିଶାଳ ର ଦିକଦିକ ଅଗ୍ନିକଣାକୁ ଯାଇ ପଚାର, କେମିତି ବକ୍ଷ ଚିରି ଅମୃତ ନିଗାଡିଛି
ଫରକଟା ଏତିକି, ତା ସ୍ବପ୍ନସବୁକୁ ଚୁରମାର କଲାବେଳେ ତମେ ଛାତି ଫୁଲେଇ ବହେ ହସିଛ
କିନ୍ତୁ ତା ଦମ୍ଭ ଆଗରେ ଅବିଶ୍ବାସର ଶତ ଶର ଅଭେଦ୍ୟ, ବରଂ ଗଢି ଚାଲିଛି ରକ୍ତ ଗଙ୍ଗା ର ପାବଚ୍ଛ
ନିତି ସଞ୍ଜ ହେଲେ ତା ସ୍ୱଲିଖିତ ପୋଥି ଚାରିପଟେ ଚାତକ ପରାଏ ପଇଁତରା ମାରିଲାବେଳେ
ତୁମ ବତୀଘରକୁ ଶୁନ୍ୟରେ ଏଡାଇ ଦେଇ ମଶାଣୀ ଆଲୁଅରେ ରେ ମୁକ୍ତିର ବାଟ ପାଇଛି
ଓଃ ସେ ହିଁ କ'ଣ " ଅସୂୟା" ର ଆଖ୍ୟା ପାଇଛି ??
କେବେ ଦେଖିଛ !
କାହା ଓଳି ତଳେ ଚିରା ଫଟା ମଶିଣା ମଶାରୀରେ ଯିଏ ନିତି ବୁଢିଆଣୀ ଜାଲ ବୁଣୁଛି
ସାରା ସହର ନିଃଶବ୍ଦ ହେଲା ପରେ ତୁମ ସ୍ବପ୍ନର ସହରକୁ କେମିତି ଜଗିଛି
ଅଲୋଡା ଅନୁରାଗ ସବୁକୁ ସ୍ମୃତିରେ ପଖାଳି ମକଚା ମକଚି କରି ଗଣ୍ଠିଲି କରୁଛି
ପ୍ରତ୍ୟହ ଠିକଣା ବଦଳୁଥିଲେ ବି ନିର୍ଜନ ରାତିକୁ ସଙ୍ଗୀ କରିଛି
ତାରା ମାନଙ୍କ ସଂଗେ କଳି, ଏତେ ଆଲୁଅ ଲୋଡ଼ା ନାହିଁ
ଜୀବନ ବୃତ୍ତାନ୍ତ ବଖାଣିବାକୁ ଗୋଟିଏ ଅମାବାସ୍ୟାର ଚନ୍ଦ୍ର ଲୋଡୁଛି
ଓଃ ସେ ହିଁ କ'ଣ " ଅସୂୟା"ର ଆଖ୍ୟା ପାଇଛି ??.....
