STORYMIRROR

Bunee Tripathy

Others

4  

Bunee Tripathy

Others

ଅସ୍ତରାଗ

ଅସ୍ତରାଗ

1 min
376

ଜୀବନ ପୃଷ୍ଠାରେ ଅକ୍ଷର ଲେଖିବା

   ହେଲା ନାହିଁ ମୋର ପାଇଁ

ସାଦା କାଗଜକୁ ଓଲଟାଇ ଦେଖେ

   କି ଉତ୍ତର ଦେବ ସେହି ।


ମନର କଲମେ ଆଙ୍କି ହେଲାନାହିଁ

   ଥିଲା ଯେଉଁ ପ୍ରତିଛବି

ରଙ୍ଗତୂଳୀ ସବୁ ହେଲା ଅସଜଡା

  କେମିତି ଆଙ୍କିବି ଛବି।


ଗ୍ରୀଷମ ଆସିଲେ କୃଷ୍ଣଚୂଡା ଫୁଟେ

   ତାତିକୁ ନଥାଏ ଡର

ସେହି କିରଣେ ତ ଶୁଷ୍କ ଯେ ତଟିନୀ

   ହରାଏ ସ୍ବପ୍ନ ନିଜର।


କେତେ।ଭାବିଥିଲି ଆଙ୍କିବି ହୃଦୟେ

  ବାରମାସେ ତେର ପର୍ବ

ପକ୍ଷୀ ତ ଉଡିବ ବସା ତ କରିବ

   ପବନରେ ଦୋହଲିବ।


ସହକାର ବୃକ୍ଷେ ବଉଳ ଖଞ୍ଜିଲି

       ଶୁଣିବାକୁ କୁହୁତାନ

କାହିଁ କେଉଁଠାରେ ଥିଲା ତ କୁହୁଡ଼ି

    କରିଦେଲା ସେ ଲକ୍ଷଣ ।


ରଙ୍ଗହୀନଫୁଲ ବାସହରା ହେଲେ

      ଭ୍ରମର ଅନାଏ ନାହିଁ

ଲୁଚିଲୁଚି କାଳେ ହୃଦୟ ବିଦାରେ

     କିଏବା ବୁଝିବ କାହିଁ ।


ସଭିଙ୍କର ପରି ଚାହିଁଥିଲି ଦିନେ

      ହେବାପାଇଁ ରୂପବତୀ

କଳାର କଳିମା ସବୁ ମୋ ଗାରିମା

   ପୋଛିନେଲା ରାତିରାତି।


ସିନ୍ଥିରେ ସିନ୍ଦୁର ଦେଇ ପାରିଲିନି

      ରଙ୍ଗ ସବୁ ଫିକା ହେଲା

ରଙ୍ଗହୀନ ମଥା ବିନ୍ଦିହୀନ ମୁହଁ

    ସୌନ୍ଦର୍ଯ୍ଯ ଛଡାଇ ନେଲା ।


ନାଲିନେଳି ରଙ୍ଗେ ସଜେଇ ଦେବାକୁ

   କରିଥିଲି ମନେ ଆଶା

କାନଭାସ ଆଜି ରଙ୍ଗହୀନ ମୋର

   ସାଦା କାଗଜର ଭାଷା।


ଜୀବନ ଯୁଦ୍ଧରେ ପରାଜିତ ହୋଇ

   କଲି ଆଜି ଅସ୍ତ୍ର ତ୍ଯାଗ

ଜିତିବାର ମୋହ୍ ନିରାଶ ଭିତରେ

   ଆଶା ହେଲା ଅସ୍ତରାଗ।


ସଭିଙ୍କର ଭାବେ ଲେଖାତ ନଥାଇ

   ବର୍ଣ୍ଣାଳୀର ବର୍ଣ୍ଣମାଳା

ଶ୍ବେତର ଚାଦର ଆଛାଦିତ ହୁଏ

     ରଙ୍ଗ ସବୁ ଚାଲିଗଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍