ଅସ୍ତିତ୍ବର ଅର୍ଥ
ଅସ୍ତିତ୍ବର ଅର୍ଥ
ପକ୍ଷୀଙ୍କ କଳରବ ନାହିଁ ଏଇଠି
ନଦୀର ଶବ୍ଦତରଙ୍ଗ ବି ନାହିଁ
ଖେଳି ଖେଳାଇବା ସ୍ରୋତ ତ ତାହାର
ନିଜ ଭାଗ୍ୟ ଉପରେ କାନ୍ଦି ଝରିଯାଏ
ଯେମିତି ତୁଷାରର ରେଣୁ ସାଜି ।
ଖୁବ ଉଚ୍ଚା ଏ ପାହାଡ଼
ଏଇଠି ଘାସ ଉଠେନି କି ଗଛ ହୁଏନି
ବୀଜ ଅଙ୍କୁରିବା ତ ଦୁରୂହ କଥା ,
କିଛି ଜମେନି ଏଇଠି
ଜମେ ତ କେବଳ ବରଫର ଚାଦର
ଶବ ଆଚ୍ଛାଦନ ଭଳି ଧୋବ ଧାଉଳିଆ
ଆଉ ମୃତ୍ୟୁଠାରୁ ବଳି ଶୀତଳ କାଲୁଆ....
ଏତେ ଶୀତଳ , ଯାହାର ପରଶ ପାଇ
ପାଣି ଏଇଠି ପଥର ହୋଇଯାଏ
ଏତେ ଉଚ୍ଚା , ଯାହାର ଦର୍ଶନ ମାତ୍ରକେ
ହୀନଭାବ ଫୁଟି ଆସେ ନିଜ ମନରେ
କି ଲାଭ ...ଥାଉ ଥାଉ ...
ଦୂରରୁ ଅଭିନନ୍ଦନ ତାକୁ ,
ଆରୋହୀର ଆକର୍ଷଣ ହୋଇପାରେ
ବାନାଟିଏ ସେଇଠି ପୋତିବା ସକାଶେ ।
ସମସ୍ତଙ୍କଠୁ ଅଲଗା , ପରିବେଶରୁ ପୃଥକ୍
ଆପଣାଠୁ ଦୂରେଇ ରହି
ଶୂନ୍ୟରେ ଏକା ଏକା ଠିଆ ହେବା
ମହାନତା ତ ନୁହେଁ , ଥିବ ବୋଧେ ବିବଶତା
ଆକାଶ ପାତାଳ ଦୂର
ଗହୀରଠୁ ତା'ର ଚୂଳ ପର୍ଯ୍ୟନ୍ତ ,
ଏହା ହିଁ ସତ , ମୂଳଭିତ୍ତି ପାସୋରି
ଯଥେଷ୍ଟ ନୁହେଁ ଅଗମ ଉଚ୍ଚତା କେବଳ ।
ବସା ତ ବାନ୍ଧେନି କେବେ ବାଇଚଢେଇ
କି ଥକା ମାରେନି ବାଟୋଇ କେହି
ଉଚ୍ଚା ଯେତେ ଏକାକୀ ବି ସେତେ
ନିଜ ଭାର ନିଜ ମଥାରେ ଟେକି
ଭିତରେ କାନ୍ଦେ ବାହାରେ ହସେ
ମନକୁ ମନ ଦଣ୍ଡେ ନିମିଷେ ।
କି ଲାଭ , ଏମିତି ଉଚ୍ଚା ହୋଇ
କେହି ଯଦି କୁଣ୍ଢେଇ ନପାରେ ଛାତିକୁ ଲଗାଇ ?
ଭଲ ହୋଇଥାନ୍ତା
ଖୁଣ୍ଟ ଭଳିଆ ନିଶ୍ଚଳ ଛିଡ଼ା ନରହି
କାହାକୁ ସାଙ୍ଗରେ ନେଇ ...
ଅଥବା କାହାର ସାଥିରେ ରହି
ଚଲାବୁଲା କରୁକରୁ ହଜି ଯାଆନ୍ତି
ନିଜଲୋକଙ୍କ ଭିଡରେ ନିଜକୁ ଭୁଲିଯାଇ
ପାଇ ଯାଆନ୍ତି ଅସ୍ତିତ୍ବର ଅର୍ଥ ,
ଏହି ମୋ' ମୂଳଭିତ୍ତିର ।
