ଅସ୍ତିତ୍ବହୀନ ପରିଚୟ
ଅସ୍ତିତ୍ବହୀନ ପରିଚୟ
ସୁବର୍ଣ୍ଣରେଖାର ଆର ପାରିରେ
ଯେଉଁ ଏକାନେକ ଗାଁ ରହିଛି
ତାହାର ପରିବେଶକୁ ଯେଉଁ ବୃକ୍ଷମାନେ
ସବୁଜ ମଣ୍ଡିତ କରାନ୍ତି;
ଠିକ୍ ସେମାନଙ୍କ ନିମ୍ନ ଭାଗର କିଞ୍ଚିତ୍
ଉପରାଂଶରେ ଏବେ ଦିବାକର !
ରୁଗ୍ଣ, ଜୀର୍ଣ୍ଣ , ଅନେକାଂଶରେ ଦୁର୍ବଳ ;
ମୃତ୍ୟୁ ଶଯ୍ୟାରେ ମୃତ୍ୟୁ ସହ ସଂଘର୍ଷ କରୁଥିବା
ଆମ ଗାଁ ଶିବ ମାଝୀ ପରି,
ଲାଗୁଥିଲା ସେ ସମୟର ସୂର୍ଯ୍ୟ ।।
ଚିର ନିଦ୍ରାର ପ୍ରତୀକ୍ଷାରେ ଅନ୍ତିମ ନିଶ୍ୱାସ ନେଉ ନେଉ
କିଛି ଲୋହିତ ରେଣୁକା,
ଶତ ଚେଷ୍ଟା ପରେ ସବୁଜିମାକୁ ଭେଦି
ବୁଣି ହୋଇ ପଡ଼ୁଥିଲା ସୁବର୍ଣ୍ଣରେଖାର
ଶାନ୍ତ, ସ୍ନିଗଧ, ସୁଶୀତଳ ଜଳରାଶିକୁ ସ୍ଵର୍ଣ୍ଣିମ କରି;
ଯେମିତି ମୃତ୍ୟୁ ଶଯ୍ୟାର ଚତୁଃପାର୍ଶ୍ବକୁ ଘେରି ରହିଥିବା
ଆତ୍ମୀୟସ୍ଵଜନଙ୍କ ଗହଳିକୁ ଚିରି ଚାତକ ଦୃଷ୍ଟିରେ
ପାଠୁଆ ପୁଅର ବାଟକୁ ଅନେଇ ଥିବା ଶିବ ମାଝୀର
ଧ୍ୟାନ ମଗ୍ନ ଚକ୍ଷୁ ଦ୍ବୟ ପରି,
ଲାଗୁଥିଲା ସେ ସମୟର ସୂର୍ଯ୍ୟ ।।
ହଠାତ୍ ! ଦୋଲକାଏ ପବନ ବହି ଆସିଲା
ଲିଭିଗଲା ଆୟୁ_ସୂର୍ଯ୍ୟ,
ପ୍ରତୀକ୍ଷାର ପଥରେ କ୍ଳାନ୍ତ ଅବସନ୍ନ ମର୍ମାହତ ହୋଇ
ଥକି ପଡ଼ିଲେ ବାଟୋଇ ଦ୍ବୟ
ଏବେ ସେମାନେ ଯେ ଯାହା ବାଟରେ,
ଜଣେ ଶ୍ୱତ ପରଦାର ଆସ୍ତରଣ ତଳେ
ଆଉ ଜଣେ ଅନ୍ଧକାର କାଳିମାର ପଣତ କୋଳେ ।।
ସମୟର ଅନ୍ତରାଳେ ଜନବସତି ଗୁଡ଼ିକ
ଲଣ୍ଠନ, ମହମବତୀ, ଦୀପାଲୋକରେ
ମୁଖରିତ ହୋଇ ଉଠିଲେ,
ଅନେକ ଦିନ ତଳୁ ଶୂନ୍ୟତା ଆଉ ନିର୍ଜନତା କୋଳେ ଶୋଇଥିବା ଗାଁ ମଶାଣିଟିରେ
ସେଦିନ ଗହଳି ଚହଳି ବଢ଼ିଯାଇଥିଲା ।।
କିଛି ସମୟ ଉତାରୁ ମଶାଣିଟିକୁ ପୁନଃ
ଶୂନ୍ୟତା ଆଉ ନିର୍ଜନତା କବଳିତ କରିନେଲା
ଆଉ କିଛି ମାସ ପରେ,
ଶିବ ମାଝୀର ଅସ୍ତିତ୍ବ ମଧ୍ୟ ଅପସରି ଗଲା ।।
