"ଅସ୍ତିତ୍ବ "
"ଅସ୍ତିତ୍ବ "
ତୋର ମନେଅଛି ?
ସେଇ ପିତଳ ପଟିଦିଆ ପୁରୁଣା ବେତପେଡି !
ସେ ପେଡିରେ ସାଇତା
କିଛି ଅଧାଫୁଟା ଗୋଲାପ କଢି !
ଫର୍ଦ୍ଦ ଫର୍ଦ୍ଦ ଅଧାଲେଖା ଗପ ସାଥେ
ନାଲି ମଖମଲି କନାରେ ବନ୍ଧା କେତୋଟି କଉଡ଼ି ।
ଆଜି କାହିଁକି କେଜାଣି
ମନରୁ ସେଇ ଛବିଟି
ଅବିକଳ ଉତୁରି ଆସିଲା ,
ଅଧାଖୋଲା ପେଡିର ଅନ୍ଧାରୁଆ ଗର୍ଭରୁ
ଅନ୍ତରର ସବୁ ସାଇତା ଆବେଗ ଉଙ୍କି ମାରିଲା
ଆଉ ସେହି ଚିତ୍ରଟି !
ମୋ ଗପବହିର ପ୍ରଚ୍ଛଦପଟ ସାଜିଲା
ମନଲାଖି ଜୀବନଟେ ବଞ୍ଚି ପାରିଲିନି ବୋଲି
ଭାବୁଛୁ କି ? ତତେ ମୁଁ ଭୁଲି ଯାଇଛି !
ତୋ ଷଠୀଘର କାନ୍ଥରୁ ଲୁଚେଇ ଆଣିଥିବା
କଉଡ଼ିକୁ ମୁଁ ହଜେଇ ଦେଇଛି ।
ଆରେ ନା ନାଁ ମ , ଜମା ନୁହେଁ !!
ତୁ ଏକା ମନେ ରଖିବୁ ଆଉ ମୁଁ ନୁହେଁ !!
ତୋ ହାତଲେଖା ଚିଠି କେତୋଟି
ମୋର ସବୁ ବିଷାଦକୁ ଭୁଲେଇ ଦିଏ ,
ସବୁ ଅଭିମାନ, ସବୁ ଅବଶୋଷ
ଆପଣାଛାଏଁ ଉଭେଇ ଯାଏ ।
ଆଚ୍ଛା ,କହିଲୁ ଦେଖି !
ଏମିତି କେଉଁ ସୁଖ ଅଛି ଯେ ?
ଯେଉଁଠି ଅଜଣା ଦୁଃଖର ଆରମ୍ଭ ନଥାଏ !
ଆଉ ସବୁଠୁ ସତ-- କ'ଣ ଜାଣିଛୁ !
ସବୁ ହସ ପଛରେ ଲୁହଟୋପେ ଲୁଚିରହିଥାଏ !
ଏଇତ , ଏବେ ଏବେ !
ତୋ ଅଧାଲେଖା ଗପଟିରେ
ମୋ ବଳକା ଜୀବନ ମିଶାଇ
କାଗଜ, କାଳିରେ ଶେଷଛୁଆଁ ଦେଇଛି ,
ପଢା ଓ ଅପଢା ଦୁଇଟି ପୃଷ୍ଠାରୁ
ଦୂରତା ଲିଭେଇ ଶୁଖିଲା କଢିଟି
ସେଇମିତି ସାକ୍ଷୀ ହୋଇ ରହିଛି ।
ସେଇ ପେଡି, ସେଇ କଉଡ଼ି , ଆଉ ଗୋଲାପ କଢି
ଆମ ସମ୍ପର୍କର ଅସ୍ତିତ୍ଵକୁ ବଜାୟ ରଖିଛି !
ଭାଙ୍ଗିରୁଜି ଯାଉଥିବା ସ୍ବରରୁ
କିଛି ଗଢ଼ି ତୋଳିବାର କଥା କହୁଛି !