ଅସମ୍ପୂର୍ଣ୍ଣ
ଅସମ୍ପୂର୍ଣ୍ଣ
ଜୀବନ ନଉକା ବାହି ନ ପାରିଲେ
ବଞ୍ଚିବାର ନାଆଁ ନୁହେଁ ଜୀବନ।
କହିବା କଥାକୁ ରଖି ନ ପାରିଲେ
କହିବାର ମାନେ ନୁହେଁ ବଚନ।
ଖାଇବା ଥାଳିରେ ଆଦର ନଥିଲେ
ଖାଇବାର ନାଆଁ ନୁହେଁ ଭୋଜନ।
ସଙ୍ଗୀତ ସୁରରେ ଭକତି ନଥିଲେ
ସଙ୍ଗୀତର ମାନେ ନୁହେଁ ଭଜନ।
ବନ୍ଧୁତା ଡୋରରେ ସେନେହ ନଥିଲେ
ବନ୍ଧୁତ୍ବର ମାନେ ନୁହେଁ ବନ୍ଧନ।
ପ୍ରଣୟ ରଜୁରେ ପ୍ରେମ ନ ରହିଲେ
ପ୍ରଣୟ ଟା ହୋଇଯାଏ ସପନ।
ଶ୍ରାବଣ ମାସରେ ବରଷା ନଥିଲେ
ଲାଗେ ନାହିଁ ତାହା ଧାରା ଶ୍ରାବଣ।
ଚଇତି ପବନେ ମନ ନ ଝୁମିଲେ
ନୁହେଁ ସେ ତ ଚଇତାଳି ପବନ।
ଗୁଣୀଜନ ପାଶେ ନମ୍ରତା ନଥିଲେ
ଗୁଣୀ ବୋଲାଏନା ପରା ବିଦ୍ଵାନ।
ଯୁବକର ପାଶେ ସାହସ ନଥିଲେ
ଯୁବକତ୍ଵ ହୁଏନାହିଁ ସମ୍ପୂର୍ଣ୍ଣ।
ମଣିଷପଣିଆ ପାଖରେ ନଥିଲେ
ମଣିଷ ତ ରହିଯାଏ ଅପୁର୍ଣ।
ପିତାମାତା ସେବା କରି ନ ପାରିଲେ
ପୁଅ ହୁଏ ନାହିଁ କୁଳନନ୍ଦନ।
କଥାରେ ଟିକିଏ ମିଠା ନ ରହିଲେ
କଥା ନୁହେଁ ସେ କର୍କଶ ବଚନ।
ନୂଆବୋହୁ ହସେ ଲାଜ ନ ରହିଲେ
ହସଟା ହୁଏନା ତାର ଭୂଷଣ।
କବିର କଲମେ କଳ୍ପନା ନଥିଲେ
କବିତାରେ ନ ଥାଏତ ଜୀବନ।
ଶିଳ୍ପୀର ତୂଳୀରେ ଭାବନା ନଥିଲେ
ପଥରଟା ପାଏନାହିଁ ପରାଣ।
ଘର ହୋଇ ଯେବେ ନାହିଁ ହସଖୁସି
ଘର ନୁହେଁ ତାହା ଅଟେ କାନନ।
ମାତୃଭୂମି ପାଇଁ ନ କାନ୍ଦେ ଯା ପ୍ରାଣ
ମଣିଷ ରୂପରେ ସିଏ ପାଷାଣ।
ପଞ୍ଚଭୂତ ଥାଇ ପରାଣ ନଥିଲେ
ଶିବ ହୋଇଥାଏ ଶବ ସମାନ।
ସବୁ ଥାଇ ଯେବେ ମନ ଭଲ ନାହିଁ
ଦୁନିଆ ଟା ଲାଗେ ଯେହ୍ନେ ଶ୍ମଶାନ।