ଅସମାହିତ
ଅସମାହିତ
ନନା ! ରଜକୁ ଯାଇଥିଲି ଆମ ଗାଁକୁ
ସାଉଁଟି ନେବାକୁ କିଛି ପିଲା ଦିନ
ବୟସର ଅପରାହ୍ନର କାନିରେ
ଗଣ୍ଠିଟିଏ ପକେଇ ରଖିଥାଆନ୍ତି
ନାତି ନାତୁଣୀ ମାନଙ୍କୁ ଦେଖାଇ
ଗର୍ବରେ ଛାତି ଫୁଲେଇ କହିଥାନ୍ତି
ଦେଖରେ ପିଲେ, ଏଇ ଆମ ଗାଆଁଟି
ଇତିହାସରେ ସୁନା ଅକ୍ଷରେ ଲେଖା ଯେ ତା'ର ନାଁ ଟି ।।
ଜାତ ମୁଣ୍ଡିଆ ଛକରେ ମା' ପୋଟଳେଇ
ମନେ ପଡିଲା ପିଲା ଦିନେ ବେଣୁନନା, ତମେ,ମୁଁ
ଆଉ ଆମର ସାହି ପିଲାଙ୍କ ମେଳରେ
ଜାତ ମୁଣ୍ଡିଆ ଉପରେ ଚଢି ଖିରିସା କୋଳି
ଖାଉ ଖାଉ ପେନ୍ଥା ପେନ୍ଥା ବଣମଲ୍ଲୀ ତୋଳି
ଫ୍ରକ୍ ର ଅଣ୍ଟିରେ ପୁରାଇ ଆଣିଥିବା ସେ ବାସ୍ନା ।
କୁଆଡ଼େ ଗଲା ସେ ବେଣୁନନା ଚିହ୍ନେଇ ଥିବା
ଔଷଧିୟ ଗଛ ସବୁ ପାତାଳଗରୁଡରୁ ଓଲଟମାରୀ ଯାଏଁ ?
ଟିକେ ଆଗକୁ ଗଲେ ଦିଶୁଛି ଅରା ନଟା ,
ସେଇଠି ଅଛନ୍ତି ମାଆ ଅରାଚଣ୍ଡୀ ,
ଆମ ଡମପଡ଼ା ଗଡ ର ଗଡ ରକ୍ଷୀକା ,
ଯେଉଁଠିକି ଆମେ ସବୁ ସାଥୀ ହୋଇ ଗଲାବେଳେ
ଛଅ ଫୁଟିଆ ଚକରା ମାମୁଁ ତାଙ୍କର ସାତ ଫୁଟିଆ ଠେଙ୍ଗାଟି
ଠକ୍ ଠକ୍ କରି ଆମଆଗେ ଆଗେ ଚାଲିଥାନ୍ତି- ହେଟା,
କଲରାପତ୍ରିଆ କି ତମ୍ପ, ନାଗ, ଗୋଖରଙ୍କ ଭୟକୁ ଆଡେଇ ।
ଆମ କୁନି କୁନି ହାତଟି ମାନଙ୍କରେ ଥିବା ଚୂଡା ଘଷା, ଫୁଲ ଭର୍ତ୍ତି
ଡାଲାମାନେ ଥରୁଥାନ୍ତି ବାଘ ହାତୀ ଆସିବା ଭୟରେ ।
କ'ଣ ହେଲା? କିଛି ତ ନାହିଁ, କିଏ ଲୁଟି ନେଇଗଲେ ସବୁ? ।।
ଗଡାଣି ଗଡିଲେ ଆମ ଗାଁ ତୋଟା ମୁଣ୍ଡ ଆରପଟେ ଜଗନ୍ନାଥ ମୁଣ୍ଡିଆ
ପଣ ପଣ ଆମ୍ବ ଗଛ, ଜାମୁ ଗଛ, ଫାର୍ଶାକୋଳି ଗଛର ଜଙ୍ଗଲ
ବାଉଁଶ ବୁଦାମୂଳରେ ସର୍ ସର୍ ହୋଇ ଚାଲି ଯାଉଥିବା ଗୋଧି ମାନେ ।
କଣ୍ଟା ବାଉଁଶରେ ବାଟ କାଟି କାଟି ବାଉତିଙ୍କ ବାଟ ଦେଇ
ଅଙ୍କାବଙ୍କା ସେଇ ପଥୁରିଆ ରାସ୍ତାରେ ଜଗନ୍ନାଥ ମୁଣ୍ଡିଆରେ ଚଢି
ଲୋକନାଥ, ଜଗନ୍ନାଥଙ୍କୁ ଦର୍ଶନ କରି, ମୁଣ୍ଡିଆ ଉପରୁ ଉହୁଁକି
କଟକ ଦେଖିବାର ସେ ଚମତ୍କାର ଦୃଶ୍ୟ ମାନ ମନେ ଅଛି ନା ନନା ?
କୁଆଡେ ଗଲା ସବୁ ଜଙ୍ଗଲ? ସେ ବାଉଁଶ ବୁଦା? ? କିଏ ନେଲା? ।।
ଆମ ବାଡିରେ ଡେଙ୍ଗା ତାଳ ଗଛ, ଆମ୍ବ, ପଣସ, ନିମ୍ବ, ସାହାଡ଼ାଙ୍କ ଭିଡ
କିଏ କହେ ସାହାଡ଼ା ସୁନ୍ଦରୀ , କିଏ କହେ ସୁନାରଙ୍ଗ ସୁନା ଯକ୍ଷ
କୁଆଡେ କେବେ ରାତିରେ କଇଁ କଇଁ କାନ୍ଦ ତ ନିଆଁହୁଳା ଟାଏ ଦିଶେ
ଆମ ଘର ପଛପଟେ ଥିବା ପଚିଶି ଗୁଣ୍ଠର ସେଇ ବାଡି ଟାରେ,
ଘର ସାମ୍ନାରେ ଆମ ଜେଜେ ଲଗାଇଥିବା ବିରାଟକାୟ ସେଇ ରେଙ୍ଗୁନ୍ କୋଳିଗଛ
ଯାହା ତଳେ ଥୁଆ ହୋଇଥିବା ଶଗଡରେ ଆମେ ତଳ ଉପର ଦୋଳି ଖେଳୁ
ଶୀତ ସକାଳ ରେ ନିଆଁ ପୋହୁଁ, ସେ ସବୁ କୁଆଡେ ଗଲା? କିଏ ନେଲା? ।।
ରଜ ତ ଥିଲା ଆମ ଗାଆଁର ଗୋଟାଏ ନିଆରା ପରବ
ଖାଲି ଆମେ ଭଉଣୀ ମାନେ ନୁହଁ, ତମେ ଭାଇମାନେ ବି
ଆମ ସାଙ୍ଗରେ ପାଳୁଥିଲ ତା'କୁ, ବାଉଁଶ ବୁଦାରୁ ବାଉଁଶ କାଟି
ଦୋଳି ବାନ୍ଧୁଥିଲ ତମେମାନେ, ଦୋଳି ଖେଳୁଥିଲୁ ଆମେ
କଦଳୀ ପାଟୁଙ୍ଗା ଠାରୁ ଦାନ୍ତକାଠି ଯାଏ ଯୋଗାଇ ଦେଉଥିଲ,
ଆମକୁ ଜଗି ବସି ତାସ୍ ଖେଳୁଥିଲ, ଆମ ସୁରକ୍ଷା ବଳୟ ହୋଇ,
ଗଛ ର ଉଚ୍ଚ ଡାଳରେ ଲଡୁ ଜିଲାପି ବାନ୍ଧି ଜାଣି ଜାଣି
ମିଛି ମିଛିକା ପ୍ରତିଯୋଗିତାର ହୁଙ୍କାର ଦେଉଥିଲ
ହୁଁ କରି ଠିଆ ପେଙ୍ଗା ମାରି ଝିଙ୍କି ଆଣୁଥିଲ ସେଇ
ଆକାଶରୁ ଝୁଲୁଥିବା ଲଡୁ ଜିଲାପି ମାନଙ୍କୁ ଅକ୍ଳେଶରେ ,
କୁଆଡ଼େ ଗଲା ସେସବୁ? କିଏ ହରି ନେଲା ସେ ଖୁସି ଆମର? ।।
ବାଉଁଶ ଦୋଳି ଟିଏ ଖୋଜି ଖୋଜି ଥକିଲିଣି ଗାଆଁରେ,
କୁଞ୍ଜ ବିହାରୀଙ୍କ ପାଖରେ ରଜ ମହୋତ୍ସବ ପାଳିତ ହେଉଛି
ନେତାଙ୍କ ପୌରହିତ୍ୟରେ ସଭା ଚାଲିଛି, କବି ସମ୍ମେଳନରେ
ରଜ କବିତା ପାଠ କରୁଛନ୍ତି ଯୁବକ ମାନେ, ଦୂରରେ ଗୋଟିଏ
ଚାକୁଣ୍ଡା ଗଛରେ ବନ୍ଧା ହେଇଛି କତା ଦଉଡିର ଦୋଳିଟେ
କଲିକତିଆ ବାସି ଗେଣ୍ଡୁ ମାଳରେ ସୁସଜ୍ଜିତ ହୋଇ ,
କୁନି କୁନି ଦି ଚାରିଟା ଝିଅଙ୍କୁ ଝୁଲାଉଛନ୍ତି ମାଆ ମାନେ,
ଆମ ଗାଁ ହାଡିଆ ପୁଅ ଦୋକାନ ଦେଇଛି ବନାରସୀ ପାନର,
ଡି ଜେ ର ତାଳେ ତାଳେ ନାଚୁଛନ୍ତି ବାଳୁଙ୍ଗା ଟୋକା ପଞ୍ଝାଏ,
କୁଆଡେ ଗଲା ଆମ ରଜ ଦୋଳି ଗୀତ, ରଜ ପାନ, କୋଠଘର?
କିଏ ହରି ନେଲା ଆମ ଝିଅଙ୍କ ଝିଅ ପଣିଆ? କିଏ ?? କିଏ ???
