" ଅଶ୍ରୁ"
" ଅଶ୍ରୁ"
" ଅଶ୍ରୁ"
ସମୟ ସୁଅରେ ବ୍ୟସ୍ତ ଜୀବନ, ବହୁ କୁଟୁମ୍ବି ମେଳାରେ ଥକିଲା ପଣ ,
କାହିଁକି କେଜାଣି ଏ ନିଷ୍ପ୍ରଭ ଅବୟବ ଲୋଡ଼େ କାହା ପୀୟୂଷ ପରଶ
ହେ "ଅଶ୍ରୁ" ମୋ ଅଦେହୀ ସହୋଦର ! ଅନେଇ ରହିଛି ତୋ ଆଗମନକୁ
ସେଇ ତନ୍ଦ୍ରାଚ୍ଛନ୍ନ ଆଢୁଆଳରେ ଆବୋରି ଯିବାକୁ, ଭିଜି ଯିବାକୁ, ହଜି ଯିବାକୁ-
ତୁ ତ ବିମୁକ୍ତ, ନିସ୍ୱାର୍ଥୀ, ବହିଯାଉ ମନ ଉପବନର କୋଉ ନିଭୃତ କୋଣରୁ
ଏହିକ୍ଷଣେ ଆସନ୍ତୁନି ! କମନୀୟ ଚକ୍ଷୁ ଯୁଗଳ ହୁଅନ୍ତା ସିକ୍ତ, ବିନମ୍ର, ପ୍ରଶମିତ
ଠୋପା ଠୋପା ଲୋତକ ବିନ୍ଦୁର ସାନିଧ୍ୟରେ ବିସ୍ମୃତି ଗର୍ଭରୁ ମୁକୁଳନ୍ତା କେତେଯେ ଆହତ ଆୟୁଷ
ଚାଲ ଖୋଜି ଆସିବା ସେ ନିରୁଦ୍ଧିଷ୍ଟ ସମୟକୁ, କଣଠେସା କରିଥିବା ଲୋଭ ମାନଙ୍କୁ
ତୋ' କୁହୁକ ସ୍ପର୍ଶରେ ଆତ୍ମାସମୀକ୍ଷାର ବୀଜଟିଏ ହୁଅନ୍ତା ମହାଦ୍ରୁମ
ଠିକ ଯେମିତି ଫଳନ୍ତି ଗଛ ମୂଳରୁ ଉଇ ଝାଡିଦେଇ ପୁଣି ସଳଖେଇବାର ହୁଏ ପ୍ରୟାସ....
ଫିକା ଫିକା ଜହ୍ନ ଆଲୁଅରେ କୋଉ କାଳର ଭଙ୍ଗା କୁଡ଼ିଆ କରିବେ ସ୍ୱାଗତ
ପରିତ୍ୟକ୍ତ ମଶାଣି ବେଢ଼ାରୁ ଶୁଭୁଥିବ ନୀରିହ ଲୋକମାନଙ୍କର କରୁଣ ଚିତ୍କାର
ଶଙ୍ଖୁଲେଇବେ ସାହୁକାର'ର ବର୍ବରତାରେ ନିଃଶେଷ କେଇଟା ସ୍ମୃତିସ୍ତମ୍ଭ
ଆତିଥ୍ୟକୁ ଆଲିଙ୍ଗନ କରି ଅସରନ୍ତି ବାରିଧାରା ସମ ତୁ ବି ଝରିଯିବୁ ଛାୟାଚ୍ଛନ୍ନ ବାଦଲ ଖୋଳପାରୁ
ତୋ ଶାନ୍ତି ଉଦକ ଭରା ଅଶ୍ରୁ'ରେ ମୁକ୍ତି ପାଇଯିବ ମୋ ପୂର୍ବ ଜନ୍ମର ଅବଶେଷ
ତୋ ବହୁଳ ଉପସ୍ଥିତିରେ ନିସ୍ତବ୍ଧ ବିରହ ତଟିନୀ ପୁଣି ହେବ ସ୍ରୋତସ୍ୱିନୀ
ସାୟାହ୍ନ'ର ଅରୁଣିମା କାହା ମିଳନର ସ୍ମୃତି ବଖାଣିବେ ନଈ ସେପଟ ତୋଟା ଉହାଡ଼ରୁ
ଛୁଟି ଆସିବ କୋଉ କରାଳ ବିଭୀଷିକାର ଘୁର୍ଣ୍ଣିଝଡ ଗପ, କେତେ ଅଭିମାନୀ ଅଳି ଓ ଆଳାପ
ସମ୍ବର୍ଧନା ଛଳରେ ଉପହାସ କରୁଥିବେ ଫାଲ୍ଗୁନର ମିଠା ପୁଲକରେ ମୂର୍ଛିତ ମହୁଲି ବୟସ
ମୋ ନୟନରୁ ନିଗୁଡୁଥିବା ତୋ' ପବିତ୍ର ଜଳରେ ସ୍ମୃତି ସମୂହକୁ ଧୋଇ ଦେଇ
ପୁଣି ଫେରି ଆସିବା ଆମ ଏକଲାପଣର ଘନ ନିବିଡ଼ତାକୁ
ବିବେକକୁ ମଙ୍ଗୁଆଳ କରି ନୌକା ତ ସେଇଦିନୁ କୂଳ ଛାଡ଼ିଛି, ଯିବାକୁ ହେବ ସେ କୂଳ
ଅନୁଭବୀ ଚିତ୍ରକର ପବନର ପ୍ରତିକୂଳ ସ୍ରୋତରେ ବି ତଲେଇରେ ଆଂକୁଛି ଜୀବନର ଚିତ୍ର
ରଙ୍ଗତୂଳୀରେ ଘନେଇଲାଣି ମୋ ଆଖିର ବିକଳପଣରୁ ବର୍ଷି ପାରୁ ନଥିବା ଗୋଟେ ଅଛିଣ୍ଡା ଲଘୁଚାପ
ଘାଟ ଅପେକ୍ଷାରେ, ଭରା ନଈରେ ମୁଁ ସାଉଁଟୁଛି ମୋ ଅଲିଅଳି "ଅଶ୍ରୁ"ର ଭିଜା ଭିଜା ଛାପ .......