ଅଶିଣ ମାସ
ଅଶିଣ ମାସ
ଭାରି ଭଲ ଲାଗେ ଅଶିଣମାସ,
ନଦୀପଠା ପରେ ରୂପେଲି କାଶ |
ଆକାଶରେ ଭସା ଧଳାବାଦଲ,
ନୀଳସାଗରେ କି ଜାହାଜମାଳ |
ନଦୀଜଳ ଦିଶେ ଆଇନା ପରି,
ମୁହଁ ଦେଖେ ତହିଁ ତାରା ସୁନ୍ଦରୀ |
ଅପରାଜିତାର ନୀଳିମା ଦେଖି,
ଲାଜରେ ଆକାଶ ବୁଜଇ ଆଖି |
ଧାନ କିଆରୀରେ ସବୁଜ ଢ଼େଉ,
ଚାଷିର ମନରେ ବଢ଼ାଏ ଭାଉ |
ବଧୁଲିଫୁଲର ଲାଲିମା ଦେଖି,
ଅସ୍ତାଚଳେ ରବି ଗଲେଣି ଲୁଚି |
ସଞ୍ଜହେଲେ ଫୁଟି ଜହ୍ନିଫୁଲଟା,
ଆକାଶେ ତାରାଙ୍କୁ କରଇ ଥଟା |
ରାତି ଆକାଶର ରୂପେଲି ଜହ୍ନ,
କିଣି ନେଇଥାଏ କଇଁର ମନ |
ଜହ୍ନ କୁମୁଦର ଗୋପନ ପ୍ରିତୀ,
ସାକ୍ଷୀ ଏକା ତାର ରହିଛି ରାତି |
ଅତି ସୁକୁମାରି ଗଙ୍ଗଶିଉଳି,
ଖରା ନପଡୁଣୁ ପଡେ ଝାଉଁଳି |
ଉଡି ନାନାରଙ୍ଗ ପରଜାପତି,
ଫୁଲରୁ ,ଫୁଲଙ୍କୁ ବାଣ୍ଟନ୍ତି ପ୍ରୀତି |
ଖରାନାହିଁ ବେଶି ବରଷା ନାହିଁ,
ସତେ କି ଏ ମାସ ମଉଜ ପାଇଁ |
ଶିରିଶିରି ବହି ଅଶିଣି ବାଆ,
କହିଯାଏ ଆସୁଅଛନ୍ତି ମାଆ |
ଏ ସନ କାହାରି ନାହିଁଟି ଖୁସି,
କରୋନା କରିଛି ସଭିଙ୍କୁ ଦୁଃଖୀ |
ଠାକୁର ବି ବନ୍ଦୀ ମଣିଷ ବନ୍ଦୀ,
ମାଆ ତୁମେ କିଛି କରଗୋ ଫନ୍ଦି |
ମହିଷା ଭଳିଆ ଦୁଷ୍ଟ ରାକ୍ଷସ,
ତୁମହାତେ ମାଆ ହୋଇଛି ହତ |
ଏତିକି ପ୍ରାର୍ଥନା କରୁଛୁ ଆଜି,
ଦୂରହେଉ ଏହି କରୋନା ପାଜି |
ମାଆ ଠକନ୍ତିନି ପିଲାଙ୍କୁ କେବେ,
ଏଇ ଆଶା ଆମେ ରଖିଛୁ ଏବେ |
ମାଆ ତୁମେ ଟିକେ କରୁଣାକର,
ପୃଥିବୀରୁ ହେଉ କରୋନା ଦୂର |
