STORYMIRROR

Banabihari Mishra

Others

4  

Banabihari Mishra

Others

ଅସହାୟ

ଅସହାୟ

1 min
326

ନିଜ ପ୍ରତିଜ୍ଞାର ରଜ୍ଜୁରେ ବନ୍ଧା

ଗଙ୍ଗାପୁତ୍ର ମୃତ୍ୟୁଜୟୀ ଭୀଷ୍ମ ମୁଁ 

ମୁଁ ଦେଖୁଥିବି ମୋ ନିଜ ନିର୍ଲଜ ଆଖିରେ

ଦ୍ରୌପଦୀର ବିବସ୍ତ୍ର ଶରୀର 

ମୁଁ ସହିଯାଉଥିବି କୁଳାଙ୍ଗାର ଦୁର୍ଯ୍ୟୋଧନମାନଙ୍କର ଶାଣିତ କଟାକ୍ଷ 

କିନ୍ତୁ ମୋର ଚାରା ନାହିଁ 

ମୁଁ କିଂକର୍ତ୍ତବ୍ୟବିମୂଢ ଅନନ୍ୟୋପାୟ

ନିର୍ଲଜ ଭାବରେ ମୁଁ ବି ସେନାପତି ହେବି

ଆଉ ଅସ୍ତ୍ର କରିବି ମୋର ନିର୍ଲିପ୍ତପଣିଆକୁ

କୁରୁକ୍ଷେତ୍ରରେ ମହାଭାରତରେ 


ହେ ବାର୍ଷ୍ଣେୟ, ତୁମେ କ'ଣ ବୁଝିପାରୁନାହଁ

ମୋର ଏହି ଅନ୍ତର ବେଦନାକୁ 

ମୋର ଏହି ଅସହାୟତାକୁ

ତୁମେ ବି ତ ଉପହାସ କଲ

ମୋ ଅଟଳ ଭୀଷ୍ମ ପ୍ରତିଜ୍ଞାକୁ


ହେ ମାଧବ, ଏକମାତ୍ର ତୁମେ ଚାହିଁଥିଲେ

ଅଟକାଇ ପାରିଥାଆନ୍ତ କରାଳ ଯୁଦ୍ଧକୁ

ଧ୍ୱଂସର ଏ ତାଣ୍ଡବଲୀଳାକୁ

ଜତୁଗୃହ, ପାଣ୍ଡବ ବନବାସକୁ

କଳୁଷିତ ଦ୍ୟୁତକ୍ରୀଡା 

ଆଉ ଶକୁନିର ଅଟ୍ଟହାସକୁ


କିନ୍ତୁ ତୁମେ ବି ତ ଅସହାୟ ହେଲ 

ତୁମ ନିଜ ପ୍ରତିଷ୍ଠିତ ନିୟମ ହାତରେ 

ଅବରୋଧ କଲନାହିଁ କାଳର ଗତିକୁ

ବଦଳାଇ ଦେଲନାହିଁ ଗତିକୁ ତାହାର


ହେ ଗୋବିନ୍ଦ, ସେଥିପାଇଁ ପ୍ରାର୍ଥନା କରୁଛି 

ସୃଷ୍ଟିକର ଅନେକ ଶିଖଣ୍ଡୀ 

ଠିଆ କରିଦିଅ ମୋ ଆଗରେ ପ୍ରାଚୀର 

ମୁଁ ଛାଡିଦେବି ମୋ ଅମୋଘ ଅସ୍ତ୍ର 

ତୁମେ ବୃହନ୍ନଳାମାନଙ୍କୁ ସବ୍ୟସାଚୀ କରି

ମୋତେ କର ଶରଶଯ୍ୟାରେ ଶାୟିତ

ମୁଁ ଚାହେଁ ମୁକ୍ତି, ଏ ଭୀଷ୍ମ ପ୍ରତିଜ୍ଞାରୁ

ଏ ଅସହାୟତାରୁ, 

ଏ କିଂକର୍ତ୍ତବ୍ୟବିମୂଢତାରୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍