STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଅସହାୟ ଈଶ୍ବର

ଅସହାୟ ଈଶ୍ବର

1 min
202


ପରସ୍ତ ପରସ୍ତ ଅନ୍ଧାର ଭିତରେ

ଝାପସା ଝାପସା ଆଲୋକର 

ଖିଲି ଖିଲି ହସ,

ଗଛ ଡାଳର ପତ୍ର ଗହଳରେ 

ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦରେ

ପ୍ରକୃତିସ୍ଥ ହୋଇଯାଏ ମଣିଷ

ଅଧାରାତିରେ ଭାଙ୍ଗିଯାଏ ନିଦ

ଚପଳାମୀ ଚାଲିଯାଏ ବଣ ବିଲ ଡେଇଁ 

ଗୁମୁରୀ ଗୁମୁରୀ କାନ୍ଦେ 

ଅସହାୟ ଶୈଶବ,କୈଶୋର ଓ ଯୌବନ ।


ମାଟି ଅଗଣାରେ ପ୍ରତିଧ୍ବନିତ 

ଅସହାୟ ସ୍ବର ଭିତରେ

ଫିକାପଡେ ଜୀଇଁବାର ଚିତ୍ର,

ଶୁଖିଲା ଆଖିରେ ଉର୍ଦ୍ଧ୍ବମୁଖୀ 

ନିଃଶ୍ବାସମାନଙ୍କର ତୀବ୍ର ପ୍ରତିଯୋଗିତା 

ଝୁଲିପଡୁଥିବା ବାଦଲ କୋଳରେ 

ଘରଟିଏ ତୋଳିବା ପାଇଁ ।


ପ୍ରତି ମୁହୂର୍ତ୍ତରେ ନିଜ ଆୟୁଷକୁ

ଗଣି ଚାଲୁଥିବା ମଣିଷମାନେ

ଖୋଜିବୁଲୁଥାନ୍ତି ନିଜ ନିଜର ଅସ୍ତିତ୍ବ 

ଅନ୍ଧାର ଭିତରେ ଆଗକୁ ଯିବାର ନିଶାରେ

କେତେବେଳେ ଝୁଣ୍ଟିପଡୁଥାନ୍ତି ତ

ଆଉ କେତେବେଳେ ହାତ ଅଣ୍ଡାଳି ଅଣ୍ଡାଳି

ବାଟ ଖୋଜି ଆଗକୁ ଯିବାର ଅଭିନୟ କରୁଥାନ୍ତି।


ଏହାରି ଭିତରେ ଗଡିଯାଏ ଆୟୁଷ

ଜହ୍ନ ତାରା ଓହ୍ଲାଇ ଆସନ୍ତି 

ଏକାଠି ହୁଅନ୍ତି ପୃଥିବୀ କୋଳରେ 

ଫିସ୍ ଫିସ୍ କଥା ହୁଅନ୍ତି ଓ

ହିସାବ କରନ୍ତି କେତେ ଲାଭ ଓ କେତେ କ୍ଷତି

ସକଳ ସବୁଜିମା ଫିକା ପଡିଯାଏ

ଅନ୍ତର୍ଦାହର ଶକ୍ତ ଖୋଳପା ଭିତରେ ।


ପାପ ଓ ପୁଣ୍ୟ ର ବିଚାର ଚାଲିଥାଏ

ଏନ୍ତୁଡିଶାଳରୁ ଶ୍ମଶାନ ପର୍ଯ୍ୟନ୍ତ ,

ଲୁହ ଓ ଲହୁର ଅର୍ଗଳି ଭିତରେ

କେତେ କଂଚା ସ୍ବପ୍ନମାନଙ୍କର ମୃତ୍ୟୁ ଆସେ 

କାଳର କରାଳ ଚକ୍ରରେ ପେଷି ହୋଇଯାଏ

ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ 

ଅମାନିଆ ଇଚ୍ଛାମାନଙ୍କର ଧାଁ ଦୌଡ ଚାଲିଥାଏ ଅବିରତ

ସମୁଦ୍ରର ଗଭୀର ଜଳରେ ।


କେହି କେବେ କ'ଣ 

ସମୟକୁ ଠକିଦେଇ ପାରେ ?

ନା ଲମ୍ପ ପ୍ରଦାନ କରିପାରେ 

ସମୟର ଲକ୍ଷ୍ମଣ ରେଖାକୁ ?

ହୁଏତ ଈଶ୍ବରଙ୍କ ଅସ୍ତିତ୍ବକୁ

ଅବମାନନା କରାଯାଇ ପାରେ,

ନିବୁଜ ଘରଭିତରେ ଥିବା ଅନ୍ଧାରକୁ

କେହି କେବେ କ'ଣ ଆକଳନ କରିପାରେ ?


ହଁ ଓ ନାଁ ଭିତରେ ଆଗେଇ ଚାଲେ ଜୀବନ

ଈଶ୍ବର ବି ଅନ୍ଧ ହୋଇ ଯାଆନ୍ତି 

ପୃଥିବୀର ଛାଇ ଆଲୁଅ ଖେଳରେ,

ଆଖି ଫେରାଇ ନିଅନ୍ତି ମହାଶୂନ୍ୟକୁ

ସେ ବି ପାଲଟିଯାଆନ୍ତି ମୂକ ଓ ବଧିର

ଛୁଇଁ ପାରେନା ତାଙ୍କୁ ପୃଥିବୀର ଅଟ୍ଟହାସ୍ୟ

ନିବେଦନ,ଆବେଦନ ଅବା ଲୁହ ଓ ଲହୁର ତର୍ପଣ

ସତରେ ଈଶ୍ଵର କେତେ ଅସହାୟ !!



Rate this content
Log in