ଅରୂପ ରୂପ
ଅରୂପ ରୂପ
ଅରୂପ ରୂପକୁ ଦେଖିବି ବୋଲି କି
ଆଖିରେ ଭରିଛ ଲୁହ
ବାଷ୍ପାକୁଳ କଣ୍ଠେ ଅଜପା ଜପକୁ
ଜପିଛି କି ନାହିଁ କୁହ ।
ଶୂନ୍ୟ ମନ୍ଦିରକୁ ନିରେଖିବା ପାଇଁ
ଅବଶ କଲ ଏ ପାଦ
ପରଖିବା ଲାଗି ଦୁଃଖ ତ ଥୋଇଛ
କା'ସାଥେ କରିବି ବାଦ ।
ମାଗି ତ ନଥିଲି ବକ୍ଷ ମରକତ
ମଣି ମୋତି ହୀରାନୀଳା
ଶୂନ୍ୟବ୍ରହ୍ମ ତୁମେ ଅନାଦି ପୁରୁଷ
ନିରପେକ୍ଷ ତୁମ ଲୀଳା ।
ଅବାଟରେ ଯାଇ ଥକି ତ ସାରିଛି
ପାରୁନାହିଁ ଆଉ ଚାଲି
ହେବି କି ଭାଜନ ଭାବସିନ୍ଧୁ ତଟେ
ସାଜିବାକୁ କଣେ ବାଲି ?
ନିର୍ଗୁଣ ରୂପରେ ସଗୁଣ ବ୍ରହ୍ମାଣ୍ଡ
ଅଣାକାର ଯେବେ ଦିଶେ
ମାୟାବଶେ କିମ୍ପା ଦେହର ସଙ୍ଗତେ
ବିକାର ଭାବନା ମିଶେ !
ବଡ଼ ଆଖି ଥାଇ ବିରାଟ ରୂପରେ
ପାରୁନାହଁ ଯଦି ଦେଖି
ଅନାମ ନାମକୁ ଏକାକ୍ଷର ବୀଜେ
ଦେଲିଣି ମରମେ ଲେଖି ।
କରି କରାଉଛ ଅଦୃଶ୍ୟରେ ରହି
ବୋଲି ତ ଜଗତ ନାଥ
ତାର ଅବା ମାର ଅକିଞ୍ଚନ ମୁହିଁ
ଝୁଙ୍କାଇ ରଖିଛି ମାଥ ।
ପ୍ରସନ୍ନ କୁମାର ମାଦଳା