ଅରଣ୍ୟ ରୋଦନ
ଅରଣ୍ୟ ରୋଦନ
ନାହିଁ କୁଳ ରୀତି ସଂସ୍କାର ସଂସ୍କୃତି
ଭ୍ରଷ୍ଟାଚାରେ ବଳେ ମନ,
ପରମ୍ପରା ନୀତି ଅପସାରି ନିତି
କରେ ଅରଣ୍ୟ ରୋଦନ ।
ପାଶ୍ଚାତ୍ୟ ସଂସ୍କୃତି ଆଦରି ସାଉଁଟି
ହଜିଯାଏ ସ୍ବାଭିମାନ,
ଅନ୍ୟ ଭାଷା ପ୍ରୀତି ଜାଗେ ମନେ ଅତି
କରେ ଅରଣ୍ୟ ରୋଦନ ।
ନାହିଁ ଭୟ ଭୀତି ଗୁରୁଜନେ ଭକ୍ତି
ଘୂରି ବୁଲେ ତ୍ରିଭୂବନ,
କୁକର୍ମେ ଆସକ୍ତି କୁସଙ୍ଗରେ ମାତି
କରେ ଅରଣ୍ୟ ରୋଦନ ।
ଅନ୍ଯାୟ ଅନୀତି ରଚୁଥାଏ ନିତି
ବିଭୁ ପଦେ ନାହିଁ ମନ,
କର୍ମଫଳ ଭୋଗି ମନସ୍ଥାପେ ଭାଙ୍ଗି
କରେ ଅରଣ୍ୟ ରୋଦନ ।
ଗଛ ବୃକ୍ଷ କାଟି ଖଣି ଦ୍ରବ୍ୟ ଲୁଟି
କୋଟିପତି ପାଇଁ ମନ,
କଙ୍କ୍ରିଟର ବଣ ତାପର କାରଣ
କରେ ଅରଣ୍ୟ ରୋଦନ ।
ଋତୁଚକ୍ର ହେଳା ବୁଡ଼ାଉଛି ଭେଳା
ବିଷାଦେ ଘାରୁଛି ମନ,
କାରଣ ନଖୋଜି ଉପଚାର ହେଜି
କରେ ଅରଣ୍ୟ ରୋଦନ ।
କେତେବେଳେ ବଢ଼ି ନହେଲେ ମରୁଡ଼ି
ଆସୁଅଛି ଘନ ଘନ,
ନିଜ ଦୋଷ ତେଜି ହାତ ମୁଠା ବୁଜି
କରେ ଅରଣ୍ୟ ରୋଦନ ।
ଥର ଥର କାଇଁ ବାତ୍ୟା ଆସେ ଧାଇଁ
ରଚିଯାଏ ଉତ୍ପାଟନ,
ଅବୁଝା ମଣିଷ ବୁଝେନାହିଁ ଦୋଷ
କରେ ଅରଣ୍ୟ ରୋଦନ ।
