ଅପୂର୍ବ ଲଗ୍ନ
ଅପୂର୍ବ ଲଗ୍ନ
ମାଟିର ମାନଚିତ୍ରରେ
ଝଲସୁଛି କାକରର ଅନ୍ତରଙ୍ଗ ଦାଗ ,
ମା ' ତୋ ଆଶୀର୍ବାଦ ନେଇ
ମହକୁଛି ଜୀବନର ସାତସୁର ରାଗ ।
ସିଞ୍ଚି ଦେ ପ୍ରତିଟି ହୃଦୟେ
ଆତ୍ମପ୍ରତ୍ୟୟର ଶୀତଳ ସଲୀଳ ,
ଲିଭିଯାଉ ଗାଁ ଠୁ ସହର
ହୁତୁହୁତୁ ଜଳୁଥିବା ଅସହିଷ୍ଣୁତାର ଅନଳ ।
ଗୁନ୍ଥି ଦେ ପ୍ରତିଟି ଅନ୍ତରେ
ଚେତନାର ଝଲମଲ ତାରାଫୁଲ ,
ବିଶ୍ବାସର ବୋଧିଦ୍ରୁମ ତଳେ
ଜୀବନ୍ୟାସ ପାଇ ଆସୁ ନୂଆ ଏକ ସକାଳ।
କ୍ଷମତାର ତରାଜୁରେ
ଓଜନ ନ ହେଉ ମଣିଷର ସ୍ବାଭିମାନ ,
ଭାଗବଣ୍ଟରାରେ ଲିଭିନଯାଉ
ମାନବିକତାର ସ୍ପଷ୍ଟ ପଦଚିହ୍ନ ।
ଅଙ୍କ ଖାତାରେ ଫେଡା ନହେଉ
ମଧୁର ସମ୍ପର୍କର ସରଳିଆ ମନ,
ଘୁଞ୍ଚିଯାଉ ଅପହଞ୍ଚ ଇଲାକାକୁ
ଗଦାଗଦା ଲୁହର ଥାକରୁ ନୈରାଶ୍ୟର ଦିନ ।
ନାରୀର ପ୍ରତିଭୂ ତୁ 'ମା '
ମାଟିରେ ଗୋଡ଼ ଥାପି
ଅଣ୍ଟା ସଳଖି ଠିଆ ହେବା ପାଇଁ ସୁଯୋଗ ଦେ 'ମା
ମଥାଟେକି ଛାତି ଦମ୍ଭକରି
ଜୀବନ ପରି ଜୀବନ ଜିଇଁବାର ହକ୍ ଟିକେ ଦେ ।
