ଅପରାଧର ବିଚାର
ଅପରାଧର ବିଚାର
ଭାଷେ ରାଜକୁମାର ଅଶ୍ୱକୁ ମୋର ଧର
ପିଇବି ଝରଣାର ଜଳ
ସଦ୍ୟସ୍ନାତ ବ୍ରାହ୍ମଣ ନଶୁଣିଲା ବଚନ
କୁମାର କ୍ରୋଧରେ ଜର୍ଜର ।
ସେ ଅଶ୍ୱ ଚାବୁକରେ ପିଟିଲା ଦ୍ଵିଜବରେ
ଫାଟିଲା ଲୋଳା ରକ୍ତ ଝରେ
କାନ୍ଦି ଦ୍ଵିଜ ଅଥୟ ମିଳେ ନିଜ ଆଳୟ
ପତ୍ନୀ ଵିଲୋକି ଦୁଃଖ ଭରେ ।
କୁମାର ବିରୁଦ୍ଧରେ ମିଳି ରାଜନବରେ
ଆପତ୍ତି କଲେ ଦରବାରେ
ରାଜା ସୁଵିଚାରକ ମାଳବର ନାୟକ
ଗୁହାରି ଶୁଣିଲେ ଶ୍ରଦ୍ଧାରେ ।
ନିଜ ପୁତ୍ର ଉଦଭ୍ରାନ୍ତ ବ୍ରାହ୍ମଣେ କଷାଘାତ
କରିଛି ଏ ଦୋଷ ଜଘନ୍ୟ
ଡକାଇଲେ ସତ୍ୱର ସଭାକୁ ସ୍ୱକୁମର
ମାନିଲା ଏ ସତ୍ୟ ବଚନ ।
ରାୟ ଦେଲେ ନୃବର ଶୁଣ ହେ ବିପ୍ରବର
ଏମୋର ଯଥାର୍ଥ ବିଚାର
ଯେଉଁ ହସ୍ତେ ପ୍ରହାର କଲା ରାଜକୁମାର
ସେ ହସ୍ତ ଛେଦ୍ୟ ଅଟେ ତାର
ନିଅ ଏ ଅସୀବର କାଟ ତା ଦକ୍ଷ କର
ଦେଖୁ ଏ ସାରା ଦରବାର ।
କୃତ କୃତ୍ୟ ବ୍ରାହ୍ମଣ ବୋଇଲା ଧନ୍ୟ ଧନ୍ୟ
ଚନ୍ଦ୍ର ବର୍ମନ ନରପତି
ସୁନିରପେକ୍ଷ ନ୍ୟାୟ ଦେଲ ହେ ନରରାୟ
ଜଗତ ଘୋଷିବ କୀରତି ।
ରାଜ୍ୟର ଭବିଷ୍ୟତ ଏକ ମାତ୍ର ଅପତ୍ୟ
ସ୍ନେହକୁ ଦେଇ ଜଳାଞ୍ଜଳି
ରଖିଲ ମୋର ମାନ ଅପରାଧ ସାମାନ୍ୟ
ଦଣ୍ଡ ଆଶାଠୁ ଗଲା ବଳି ।
ଖଡ଼ଗ ପରିହରି କୁମାର କର ଧରି
ଆଶିଷ କରିଲେ ପ୍ରଦାନ
ଆଦର୍ଶ ପିତାଙ୍କର ସରଣୀ ଅନୁସର
ଜଗତେ ହୁଅ ଭଗ୍ୟବାନ ।